Unknown

ଓଡ଼ିଶୀ ନୃତ୍ୟ

କବିଚନ୍ଦ୍ର ଶ୍ରୀ କାଳୀଚରଣ ପଟନାୟକ

 

ନୃତ୍ୟକଳା

ସୁନ୍ଦର ଏଇ ସୃଷ୍ଟି-ତମସାବୃତ ଅତିନ୍ଦ୍ରିୟ ରାଜ୍ୟର ଏକ ଅପ୍ରକଟ ବାର୍ତ୍ତା ଘେନି ଯୁଗଯୁଗ ବ୍ୟାପି ପରିପୂର୍ଣ୍ଣତାର ବିଚିତ୍ର ପଥରେ ଅଗ୍ରସର । ସେଇ ଅସରନ୍ତି ପଥର ଭ୍ରମନ୍ତ ପଥୁକୀ ଏଇ ମରମାନବ-ମନର ସୁଗଭୀର ଅନ୍ତର୍ଚେତନାର ସତତ ଜାଗ୍ରତ ବାର୍ତ୍ତା ପ୍ରକାଶର ପିପାସାରୁ ଜନ୍ମଲାଭ କରିଛି ‘କଳା’ । ପ୍ରଜ୍ଞାଶୀଳ ମାନବ କଳାକୁ ସ୍ଥୂଳତଃ ଚତୁଃଷଷ୍ଠୀ ସଂଖ୍ୟକ ବିଭାଗରେ ପ୍ରକାଶର ପନ୍ଥା ସ୍ଥିର କରିଛି ।

 

ସଙ୍ଗୀତ ଏଥି ମଧ୍ୟରୁ ଅନ୍ୟତମ । ଯହିଁରେ ମନୁଷ୍ୟ ମନର ସୁକୁମାର ବୃତ୍ତ ପ୍ରକାଶ ଲାଭ କରେ । ଏହା ଚାରୁକଳାର ଅନ୍ତର୍ଗତ । ଚିତ୍ର ଏବଂ ସଙ୍ଗୀତ ଚାରୁକଳା, ଏଇ ଉଭୟଙ୍କର ସମ୍ବନ୍ଧ ବା ସଂପର୍କ ଘନିଷ୍ଠତମ । ଦୁହେଁ ଦୁହିଁଙ୍କୁ ଅପେକ୍ଷା କଲା ଭଳି ଅତୁଟ ।

 

ଚିତ୍ର କଅଣ ? ଭାବର ଐକାନ୍ତିକ ପ୍ରେରଣାର ମୂର୍ତ୍ତିପ୍ରକାଶ । ଏହା ମୁକ କିନ୍ତୁ ମାନବର ସର୍ବ ଶରୀର ଏଇ ମୂର୍ତ୍ତିଭାବ ଅନୁଭବ କରେ । ମାତ୍ର ମାନବର ମନ ଏତିକିରେ ତୃପ୍ତ ହୁଏ ନାହିଁ । ସେ ଚାହେଁ ଆହୁରି କିଛି । ଏଇ ‘‘ଆହୁରି କିଛି’’ଟି ହେଲା ସେଇ ଭାବନାର ଗୁଣ କୀର୍ତ୍ତନ;- ଯାହା ଜନ୍ମ ଦିଏ ସଙ୍ଗୀତକୁ । ତଥାପି ତୃପ୍ତିର ଅବସାଦ ନାହିଁ । ସଙ୍ଗୀତର ଆନନ୍ଦ ସାଗରରେ ଅବଗାହନ ଚାହେ ମନୁଷ୍ୟ । ଆଉ ସେଇ ଅବଗାହନର ଅପୂର୍ବ ପୁଲକ ସେ ଅନୁଭବ କରେ, ଅଙ୍ଗେ ଅଙ୍ଗେ । ମାନବ ଏତେବେଳେ ଆତ୍ମହରା ସେ ଉନ୍ମତ୍ତ । ଚିତ୍ରର ମୁକ ଭାବନା ଫୁଟି ଉଠିଲା ସ୍ୱର, ସାହିତ୍ୟ, ଭାଷା, କାବ୍ୟର ଛନ୍ଦରେ । ଛନ୍ଦର ଉନ୍ମାଦନାର ପୁଲକ ସର୍ବ ଶରୀରକୁ ସଜାଗ, ସଚେତ, ସଚଳ କରି ‘ନୃତ୍ୟ’ର ଆଖ୍ୟା ଗ୍ରହଣ କଲା ।

 

‘‘ନୃତ୍ୟ ପ୍ରଶଂସା’’

ନୃତ୍ୟର ପ୍ରତିଷ୍ଠା ଯୁଗଯୁଗାବଧି ସର୍ବତ୍ର ଘୋଷିତ, ପ୍ରଶଂସିତ । ପୁରାତନ ସଙ୍ଗୀତ-ଶାସ୍ତ୍ର ମତେ ବୃତ୍ତ୍ରବଧ କାଳରେ ଦେବାଦିଦେବ ମହାଦେବଙ୍କର ଅଙ୍ଗ ସଞ୍ଚାଳନାରୁ ନୃତ୍ୟ ଉତ୍ପତ୍ତ ଲାଭ କରିଛି । ଇନ୍ଦ୍ର ସଭାରେ ଅପ୍‌ସରା ନୃତ୍ୟର ପ୍ରସିଦ୍ଧି ଅଛି । ଦେବଦେବୀଙ୍କ ପୂଜାରେ ନୃତ୍ୟାନୁଷ୍ଠାନର ବିଧିଅଛି, ଯଥା:- ବରାହ ପୁରାଣରେ-

 

‘‘ନୃତ୍ୟମାନସ୍ୟ ବକ୍ଷ୍ୟାମି ତଚ୍ଛୃଶୁଷ୍ୱ ବସୁନ୍ଧରେ

ମନୁଜା ଯେନ ଗଚ୍ଛନ୍ତି ଛିତ୍ୱା ସଂସାର ସାଗରଂ ।’’

 

ଯେଉଁମାନେ ଦେବତା ଉଦ୍ଦେଶ୍ୟରେ ନୃତ୍ୟ କରନ୍ତି, ସେମାନେ ଭବସାଗର ପାର ହୋଇ ମୁକ୍ତିଲାଭ କରନ୍ତି।

 

‘‘ଯୋ ନୃତ୍ୟତି ପ୍ରହ୍ୱଷ୍ଟାତ୍ମା ଭାବେ ବହୁସୁ ଭକ୍ତିତଃ

ସନିର୍ଦ୍ଦହତି ପାପାନି ଜନ୍ମାନ୍ତର ଶତୈରପି ।’’

(ଦ୍ୱାରକା ମହାତ୍ମ୍ୟ)

 

ପବିତ୍ର ରସସୃଷ୍ଟ ଏବଂ ତହିଁର ପରିବେଷଣହି ଭାରତୀୟ ନୃତ୍ୟର ସ୍ୱତନ୍ତ୍ରତା ଏବଂ ଉଦ୍ଦେଶ୍ୟ । ଏହା ସର୍ବଦା ଏବଂ ସର୍ବଥା ନିର୍ମ୍ମଳ-ବିଶୁଦ୍ଧ ଏବଂ ପ୍ରବୃତ୍ତର ସୁସଂଗତ ମାର୍ଜିତ ରୁଚିର ପ୍ରଚାରକ ।

 

ଯେ ହୃଷ୍ଟ ଚିତ୍ତରେ, ଗଭୀର ଭକ୍ତି ସହକାରେ ନୃତ୍ୟ କରନ୍ତି ସେ ଶତ ଜନ୍ମର ପାପରୁ ମୁକ୍ତ ହୁଅନ୍ତି ।

 

ଶିବ ପୁରାଣ ମତେ ମହାଦେବ ନୃତ୍ୟର ପ୍ରଥମ ପ୍ରବର୍ତ୍ତକ । ଦେବ ପୂଜନର ବିଶିଷ୍ଟ ଉପଚାର ରୂପେ, ଦେବ ମନ୍ଦିରମାନଙ୍କରେ ଦେବଦାସୀ ନୃତ୍ୟ ପ୍ରଚଳଳର ଚିରାଚରିତ ପ୍ରଥା ରହିଅଛି । ଏହା ହିନ୍ଦୁ ଧର୍ମାନୁଷ୍ଠାନରେ ଏକ ବିଶେଷ ଅଙ୍ଗ ।

 

ଉତ୍କଳର ଦେବମନ୍ଦିରରେ ଏହି ପ୍ରଥା ଅନୁସୃତି ହୋଇ ଆସୁଛି । ଏ ସଂପର୍କରେ ବହୁ ଐତିହାସିକ ପ୍ରମାଣ ମଧ୍ୟ ମିଳେ

 

ସଂଗୀତ ଓ ନୃତ୍ୟ

ଶାସ୍ତ୍ର କହେ:-

 

‘‘ନାଦାବ୍‌ଧେସ୍ତୁ ପରଂ ପାରଂ ନ ଜାନାତି ସରସ୍ୱତୀ

ଅଦ୍ୟାପି ମଜ୍ଜନ ଭୟାତ୍‌ତୁମ୍ବଂ ବହତି ରକ୍ଷସି ।’’

 

ତେଣୁ କା କଥା ଅପରେଷୁ !

ଏ ପୁସ୍ତିକାରେ ସାଧନକାଳୀନ ଅଳ୍ପ କେତେକ ବିଷୟ ମାତ୍ର ସ୍ଥାନ ପାଇଅଛି । ସିଦ୍ଧି ସୁଦୂରପରାହତ । ନୃତ୍ୟ ସମ୍ବନ୍ଧେ କିଛି ଜାଣିବା ପୂର୍ବରୁ ପ୍ରଥମେ ବୁଝିବାକୁ ହେବ ।

 

ଯେ- ଏହା ସଙ୍ଗୀତର ଅଙ୍ଗୀଭୂତ କ୍ରିୟା ବିଶେଷ । କାରଣ-

 

‘‘ଗୀତଂ ବାଦ୍ୟଞ୍ଚ ନୃତ୍ୟଞ୍ଚକ୍ରୟଂ ସଙ୍ଗୀତ ମୁଚ୍ୟତେ

ଗୀତ ବାଦ୍ୟୋଭୟଂଯନ୍ତ୍ର ସଙ୍ଗୀତମିତ କେଚନ ।’’

(ଗନ୍ଧର୍ବ ବେଦ)

ପୁଣି-

‘‘ଗୀତ ବାଦିତ୍ର ନୃତ୍ୟାନାଂ ତ୍ରୟଂ ସଙ୍ଗୀତ ମୁଚ୍ୟତେ

ଗାନସ୍ୟାତ୍ର ପ୍ରଧାନତ୍ୱାତ୍‌ତତ୍‌ ସଙ୍ଗୀତ ମିତୀରିତମ୍‌।’’

(ପାରିଜାତ)

 

ଆହୁରି-

ଗୀତଂ ବାଦ୍ୟଂ ତଥା ନୃତ୍ୟଂ ତୌର୍ଯ୍ୟତ୍ରିକ ମିଦଂ ମତଂ

(ଦାମୋଦର)

 

ଅର୍ଥାତ ଗୀତ, ବାଦ୍ୟ ଓ ନୃତ୍ୟର ଏକତ୍ର ସମାବେଶକୁ ତୌର୍ଯ୍ୟତ୍ରିକ ବୋଲାଯାଏ । ଏଇ ତିନୋଟିଯାକ ବିଷୟର ଦୁଇଟି ଲେଖାଏଁ ବିଭାଗ । ଗୋଟିଏ ଔପପତ୍ତକ ଅର୍ଥାତ୍‌ ସଙ୍ଗୀତର ନିୟମାବଳୀ (ବ୍ୟାକରଣ- Theory), ଅନ୍ୟଟିର ନାମ କ୍ରିୟାସିଦ୍ଧ ଯାହା ସଙ୍ଗୀତର ସାଧନା ଅଂଶ (Practical) ।

 

ତୌର୍ଯ୍ୟତ୍ରିକ କ୍ରିୟା ମଧ୍ୟରୁ ନୃତ୍ୟ ଅପର ଦୁଇଟି କ୍ରିୟା ଅର୍ଥାତ୍‌ ଗୀତ ଓ ବାଦ୍ୟ ଉଭୟଙ୍କ ସହିତ ଅଙ୍ଗାଙ୍ଗୀଭାବେ ସଂପୃକ୍ତ ଏବଂ ଅନୁଗାମୀ ।

 

‘‘ନୃତ୍ୟଂ ବାଦ୍ୟାନୁଗଂ ପ୍ରୋକ୍ତଂ’’

 

ନୃତ୍ୟ ବାଦ୍ୟର ଅନୁଗତ- ଏହା ତା’ର ‘‘ମୁଖ୍ୟ’’ ସଂପର୍କ । ଆଉ ଗୀତର ଆନୁଗତ୍ୟ ସମ୍ବନ୍ଧେ ନୃତ୍ୟର ‘ପରମ୍ପରା’ ସଂପର୍କ । ନୃତ୍ୟ ଶାରୀରିକ ବିଭିନ୍ନ କ୍ରିୟା ସାହାଯ୍ୟରେ ହାବଭାବାଦି ଅଭିବ୍ୟକ୍ତି ଦ୍ୱାରା ଗୀତ ଏବଂ ବାଦ୍ୟର ରସ ପ୍ରକାଶ କରେ।

 

ଶାସ୍ତ୍ର କହେ:-

‘‘ସଂଗୀତଂ ଦ୍ୱିବିଧଂ ପ୍ରୋକ୍ତଂ ଦୃଶ୍ୟଂ ଶ୍ରାକ୍ୟଞ୍ଚ ସୁରିଭିଃ’’

ନୃତ୍ୟ, ସଙ୍ଗୀତର ଏହି ଦୃଶ୍ୟ ଅଂଶ ।

(ପୁଣି)

‘‘ନୃତ୍ୟଂ ବାଦ୍ୟାନୁଗଂ ପ୍ରୋକ୍ତଂ ବାଦ୍ୟ ଗୀତାନୁବର୍ତ୍ତିତ’’

(ସ: ର: ସ୍ୱରାଧ୍ୟାୟ ୨୪ ଶ୍ଲୋ)

 

ଆହୁରି-

‘‘ଗେୟାଦୁତ୍ତଷ୍ଠତେ ବାଦ୍ୟଂ

ବାଦ୍ୟାଦୁତ୍ତଷ୍ଠତେ ଲୟଃ ।

ଲୟତାଳ ସମାରବ୍‌ଧଂ

ତତୋନୃତ୍ୟ ପ୍ରବର୍ତ୍ତତେ ।

      (ସଂ: ଦାମୋଦର, ଅ: ଦ: ପ୍ର: ଓ ନା: ମ)

 

ବସ୍ତୁତଃ ସଙ୍ଗୀତ-ଯାହା ଶାସ୍ତ୍ରାନ୍ତର ବର୍ଣ୍ଣନା କ୍ରମେ-

 

‘ସଙ୍ଗତଂ’ ଦ୍ୱିବିଧଂ ପ୍ରୋକ୍ତଂ ଯନ୍ତ୍ର ଗାତ୍ର ବିଭାଗତଃ

ଯନ୍ତ୍ରସ୍ୟାତ୍‌ ବେଣୁବୀଣାଦି ଗାତ୍ରନ୍ତୁ ମୁଖଜଂମତଂ ।’’

 

ତାହାର ପୂର୍ଣ୍ଣତା ଲାଭର ସବୁଠାରୁ ସହଜ ସରଳ ସାଧନ ପଥ ନୃତ୍ୟ, କାରଣ ନୃତ୍ୟର ସାହାଯ୍ୟ ଦ୍ୱାରା ଅଷ୍ଟରସ ସହଜରେ ପ୍ରକାଶ ଲାଭକରେ ।

 

ସ୍ଥୂଳତଃ ନୃତ୍ୟ, -ଗୀତ ଏବଂ ବାଦ୍ୟର ପରିଣତି । ଏଣୁ କୌଣସି ଶ୍ରେଣୀୟ ନୃତ୍ୟ ସମ୍ବନ୍ଧେ ଆଲୋଚନା କରିବାକୁ ହେଲେ ପ୍ରଥମେ ବାଦ୍ୟ ଓ ଗୀତର ପ୍ରଶ୍ନ ମଧ୍ୟ ଉଠେ । ଯେହେତୁ ନୃତ୍ୟ ଆପେକ୍ଷିକ ବିଷୟ । ଦାମୋଦର ମତରେ ଆହୁରି କଥିତ ଯେ-

 

‘‘ଦେଶରୁଚ୍ୟା ପ୍ରତୀତୋଇଥ ତାଳମାନ ରସାଶ୍ରୟାଃ

ସବିଳାସୋଽଙ୍ଗ ବିକ୍ଷେପୋନୃତ୍ୟ ମିତ୍ୟଚ୍ୟତେ ବୁଧୈଃ’’

 

ଅର୍ଥାତ୍‌ ଦେଶର ଯଥାରୁଚି କ୍ରମରେ ତାଳ, ମାନ ଓ ରସାଶ୍ରୟୀ ବିଳାସଯୁକ୍ତ ଅଙ୍ଗ-ବିକ୍ଷେପକୁ ପଣ୍ଡିତମାନେ ନୃତ୍ୟ କହନ୍ତି । ତେଣୁ କୌଣସି ଦେଶ, ପ୍ରଦେଶ ବା ଅଞ୍ଚଳର ନୃତ୍ୟ ଶୈଳୀର ପରମ୍ପରା ସ୍ୱତନ୍ତ୍ରତା ବା ବିଶେଷତ୍ୱ ଏବଂ ଶାସ୍ତ୍ରୀୟତା ସ୍ୱୀକାର କରିବା ସଙ୍ଗେ ସଙ୍ଗେ ତଦ୍ଦତ୍ ଅଞ୍ଚଳ ପ୍ରଚଳିତ ଗୀତ ବା ବାଦ୍ୟର ବିଶେଷତ୍ୱ ଏବଂ ଶାସ୍ତ୍ରୀୟତା ଇତ୍ୟାଦି ସ୍ୱଭାବତଃ ସ୍ୱୀକାର୍ଯ୍ୟ ।

 

ନୃତ୍ୟ ଶବ୍ଦ ଭେଦ

ଶବ୍ଦରତ୍ନାବଳୀ ମତେ ନୃତ୍ୟର ଅପର ନାମ:-

‘‘ନାଟ୍ୟ, ନଟନ, ନର୍ତ୍ତନ, ତାଣ୍ଡବ, ନୃତ୍ତ, ଲାସ୍ୟ ଓ ଲାସ୍ୟକୃତ’’

ଅମରକୋଷ ମତେ:-

ତାଣ୍ଡବଂ ନଟନଂ ନୃତ୍ତଂ ନୃତ୍ୟଂ ନାଟ୍ୟଞ୍ଚ ନର୍ତ୍ତନେ

 

ସଙ୍ଗୀତ ରତ୍ନାକର (ନର୍ତ୍ତନାଧ୍ୟାୟ) ମତେ :-

‘‘ନାଟ୍ୟନୃତ୍ୟଂ ତଥାନୃତ୍ତଂ କ୍ରେଧାତଦିତି କୀର୍ତ୍ତିତଃ’’ ।

ନର୍ତ୍ତନ ନିର୍ଣ୍ଣୟ ମତେ :-

ନାଟ୍ୟଂ ନୃତ୍ୟଂ ନତ୍ତମିତି ତ୍ରିବିଧଂ ପରିକୀର୍ତ୍ତିତମ୍‌।

 

ସ୍ଥୁଳତଃ ନର୍ତ୍ତନର ବିଭାଗ :-

ନାଟ୍ୟ, ନୃତ୍ୟ ଏବଂ ନୃତ୍ତ ।

‘ନାଟ୍ୟ’-ନଟର କର୍ମ୍ମ ।

‘‘ଅଙ୍ଗ ବିକ୍ଷେପ ବୈଷିଷ୍ୟଂ ଜନଚିତ୍ତାନୁ ରଞ୍ଜକଂ

ନଟେନ ଦର୍ଶିତଂ ଯତ୍ର ନର୍ତ୍ତନଂ କଥିତଂ ତଦା (ନର୍ତ୍ତନ ନିର୍ଣ୍ଣୟ)

 

ନଟ ନାନାପ୍ରକାର ଅଙ୍ଗ ବିକ୍ଷେପ ଦ୍ୱାରା ଜନଚିତ୍ତରଞ୍ଜନ କଲେ ତାହା ନର୍ତ୍ତନ ବା ନୃତ୍ୟ ବୋଲାଏ ।

ନାଟକାଦିକଥା ଦେଶବୃତ୍ତଭାବ ରସାଶ୍ରୟଂ

ଚତୁର୍ଦ୍ଧାଭିନୟୋପେତଂ ନାଟ୍ୟମୁକ୍ତଂ ମନୀଷିଭିଃ (ନ.ନି)

 

ସଂ: ରତ୍ନାକର ମତେ-

‘‘ନାଟ୍ୟଶବ୍ଦୋରସେ ମୁଖ୍ୟୋ ରସାଭିବ୍ୟକ୍ତି କରଣ’’

ମୋଟ କଥା-ନାଟ୍ୟ-ରସାଶ୍ରୟୀ, ନୃତ୍ୟ-ଭାବାଶ୍ରୟୀ ଏବଂ ନୃତ୍ତଂ ତାଳଲୟାଶ୍ରୟୀ ବୋଲି ପ୍ରସିଦ୍ଧି ଅଛି ।

କିନ୍ତୁ ନାଟ୍ୟ ବୋଲି କହିଲେ ସାଧାରଣତଃ ଚଳନ୍ତିକାରେ ନାଟ ଓ ନାଚକୁ ବୁଝାଉଛି ।

 

ଅଭିନୟ ଦର୍ପଣ ପ୍ରକାଶ ଗ୍ରନ୍ଥରେ :-

ନୃତ୍ୟ ଶବ୍ଦର ଅଭିପ୍ରାୟ ପ୍ରକାଶକ ରୂପେ, ବହୁସ୍ଥଳରେ ‘‘ନାଟ୍ୟ’’ ଶବ୍ଦର ପ୍ରୟୋଗ ଅଛି । ସେହିପରି ଦକ୍ଷିଣ ଭାରତରେ ‘ଭରତ ନାଟ୍ୟମ୍’ ଶାସ୍ତ୍ରୀୟ ନୃତ୍ୟକୁହିଁ ବୁଝାଏ ।

‘‘ଗୀତ ବାଦ୍ୟ ନୃତ୍ୟତ୍ରୟଂ ନାଟ୍ୟଂ ତୌର୍ଯ୍ୟତ୍ରିକଞ୍ଚତତ୍‌’’

 

ପୁଣି-      ସଂଗୀତଂ ପ୍ରେକ୍ଷଣାର୍ଥେଽସ୍ମିନ୍‌ ଶାସ୍ତ୍ରୋକ୍ତେ ନାଟ୍ୟ ଧର୍ମିକା                   (ହେମଚନ୍ଦ୍ର)

ନାଟ୍ୟ ଧର୍ମର ତିନୋଟି ଅଙ୍ଗ-ଗୀତ, ବାଦ୍ୟ ଓ ନୃତ୍ୟ ।

 

ଭରତ

ବେଦରୁ ସଙ୍ଗୀତର ସୃଷ୍ଟି, କିନ୍ତୁ ବେଦ ସ୍ୱତନ୍ତ୍ରଭାବେ କେବଳ ସଙ୍ଗୀତ ଶାସ୍ତ୍ର ନୁହେଁ ବା ସଙ୍ଗୀତ ଶାସ୍ତ୍ରରୂପେ ସଂକଳିତ (Codified) ନୁହେଁ । ଭରତହିଁ ସଙ୍ଗୀତର ନିୟନ୍ତ୍ରଣ କର୍ତ୍ତା । ଅବଶ୍ୟ ଭରତ ନାଟ୍ୟଶାସ୍ତ୍ର ପ୍ରଣୟନର କାଳ ନିର୍ଣ୍ଣୟ ସମ୍ବନ୍ଧେ ଐତିହାସିକମାନେ ଅବଧି ଏକମତ ନୁହନ୍ତି । ତଥାପି ବିଭିନ୍ନ ମତମାନଙ୍କୁ ମିଳାଇ ସାଧାରଣ ଭାବରେ କୁହାଯାଇ ପାରେ ଯେ ଏହି ଗ୍ରନ୍ଥ ପ୍ରଥମରୁ ଷଷ୍ଠଶତକ ମଧ୍ୟରେ ରଚିତ । ଭରତଙ୍କର ପରବର୍ତ୍ତି ସଙ୍ଗୀତ ଶାସ୍ତ୍ରକାରମାନେ ଭରତଙ୍କ ନାମୋଲ୍ଲେଖ କରିଅଛନ୍ତି । ମକରନ୍ଦ ପ୍ରଣେତା ନାରଦ, (୫୫୦-୬୦୧) ବୃହଦେଶୀ ପ୍ରଣେତା ମତଙ୍ଗ ଏବଂ ରତ୍ନାକର ପ୍ରଣେତା ସାର୍ଙ୍ଗଦେବ (୧୨୧୦-୧୨୪୩ A.D.) ପ୍ରଭୃତି ସମସ୍ତେ ପ୍ରମାଣିକ ଦୃଷ୍ଟାନ୍ତ ରୂପେ ନାଟ୍ୟ ଶାସ୍ତ୍ରର ବାକ୍ୟ ଉଲ୍ଲେଖ କରିଛନ୍ତି । ଏମାନେ ସମସ୍ତେ ଭରତଙ୍କ ପରବର୍ତ୍ତି ହେତୁ ଭରତଙ୍କୁ ପ୍ରାଚୀନତମ ଗ୍ରନ୍ଥକର୍ତ୍ତା ବୋଲି ସ୍ୱୀକାର କରାଯାଏ ।

 

ସଙ୍ଗୀତ ରତ୍ନାକର ନର୍ତ୍ତନାଧ୍ୟାୟରେ ଲେଖାଅଛି-

ନାଟ୍ୟ ବେଦଂ ଦଦୌପୂର୍ବଂ ଭରତାୟ ଚତୁର୍ମୁଖଃ । ଇତ୍ୟାଦି

ଠିକ୍‌ ଏଇକଥା (୧୬୨୫ A.D) ରତ୍ନାକର ପରବର୍ତ୍ତୀ ଦର୍ପଣାକର (ଦାମୋଦର) ମଧ୍ୟ ଲେଖିଛନ୍ତି ।

‘‘ଦ୍ରୁହିଣେନ ଯଦନ୍ୱିଷ୍ଟଂ ପ୍ରଯୁକ୍ତଂ ଭରତେନଚ’’

 

କୌଣସି ନିର୍ଦ୍ଧିଷ୍ଟ ବେଦ ବା ବେଦମାନଙ୍କୁ ସଙ୍ଗୀତ ଗ୍ରନ୍ଥ ବୋଲି କହିହେବ ନାହିଁ । ଯେହେତୁ ପୁରାଣମତେ ବ୍ରହ୍ମା ଚାରି ବେଦରୁ ସାର ସଂଗ୍ରହ ପୂର୍ବକ ପଞ୍ଚମବେଦ ସଂକଳନ କରିଥିଲେ ଯଥା :-

 

ପୂର୍ଣ୍ଣ ଚତୁର୍ଣ୍ଣାଂ ବେଦାନାଂ ସାରମାକୃଷ୍ୟ ପଦ୍ମଭୂଃ

ଇମନ୍ତୁ ପଞ୍ଚମଂ ବେଦଂ ସଙ୍ଗୀତାଖ୍ୟ ମକଳ୍‌ପୟତ୍‌।

 

ଏହା ସଙ୍ଗୀତ ସଂହିତା ।

‘‘ନାଟ୍ୟବେଦ’’ ଶବ୍ଦାର୍ଥ କେବଳ ନାଟକ ନୁହେଁ-

ଏହା-ନାଟ୍ୟ ନୃତ୍ୟ ତଥାନୃତ୍ତଂ ।

ମହାମୁନି ଭରତ ‘‘ନାଟ୍ୟଶାସ୍ତ୍ର’’ରେ ନାଟ୍ୟ ଓ ନୃରାଦିର ବିଭିନ୍ନ ବିଭାଗୀୟ ବିଧି ନିୟମମାନ ନିର୍ଦ୍ଦେଶ କରି ଯାଇଅଛନ୍ତି ।

 

ନାଟ୍ୟ ଶାସ୍ତ୍ର

ପ୍ରଥମରୁ ଗ୍ରନ୍ଥର ନାମକରଣ ଘେନି ଦେଖାଯାଉ-ଏହାର ନାମ ନାଟ୍ୟଶାସ୍ତ୍ର । ନାଟ୍ୟ ଶବ୍ଦର ଅର୍ଥ ନୃତ୍ୟ, ନର୍ତ୍ତ ଓ ନାଟ୍ୟ ତିନି କଥାଯାକ ବୁଝାଏ । ବସ୍ତୁତଃ ନାଟ୍ୟ ଶବ୍ଦର ଅର୍ଥ କେବଳ ନାଟକ ନୁହେଁ । ଏ ସମ୍ବନ୍ଧରେ ସଙ୍ଗୀତ ରତ୍ନାକର ୭ମ ନର୍ତ୍ତନାଧ୍ୟାୟରେ ଲେଖାଅଛି-

 

ନାଟ୍ୟାଦିତ୍ରିତୟ ସ୍ୟାତଃ ପ୍ରପଞ୍ଚମଭିଦଧୁହେ

ନାଟ୍ୟ ଶବ୍ଦୋ ରସେ ମୁଖ୍ୟୋ ରସାଭିବ୍ୟକ୍ତି କାରଣମ୍

 

ଏହାରି ଇଂରାଜୀ ତର୍ଜମା କରି ନାଟ୍ୟଶାସ୍ତ୍ର ସଂଗ୍ରହକର୍ତ୍ତାମାନେ (ତାଞ୍ଜୋର) ଲେଖିଛନ୍ତି-

 

The Connotation of the word Natya (artistic actual representation in imitation of real life) has primarily to do with 'Rasa' or aesthetic pleasure.

 

ସଙ୍ଗୀତ ରତ୍ନାକର ୭ମ ଅଧ୍ୟାୟରେ ପୁଣି ବର୍ଣ୍ଣିତ ହୋଇଅଛି (୧୮ଶ ଶ୍ଲୋକ)

 

ଚତୁର୍ଧାଭିନୟୋ ପେତଂ ଲକ୍ଷଣା ବୃତ୍ତତୋ ବୁଧୈଃ

ନର୍ତ୍ତନଂ ନାଟ୍ୟମିତ୍ୟକ୍ତଂ ସ ତ୍ୱପ୍ରଭିନୟୋ ଭବେତ୍‌।

 

Natya in its fullest development has come to mean Abhinaya or Visual representation in its four fold forms, alternated with Nartana or dance with aritstic poses; in other words 'Natya' has come to mean a combination of Drama and Dance.

 

ଅଭିନୟ ଲୋକଧର୍ମୀ ଏବଂ ନାଟ୍ୟଧର୍ମୀ ।

ଲୋକଧର୍ମୀ ନାଟ୍ୟଧର୍ମୀ ‘‘ତ୍ୱେତେ ଦ୍ୱିବିଧେ ପୁନଃ’’

 

ଲୋକଧର୍ମୀ-ବାସ୍ତବ ଜୀବନ ଅନୁକାରୀ ।

ନାଟ୍ୟଧର୍ମୀ-ମଞ୍ଚର ବିଷୟାନୁକାରୀ ।

 

ଅବଶ୍ୟ ଏ ଦୁହିଁଙ୍କର ପୁଣି ଦୁଇଟି ବିଭାଗ ଅଛି । ବିଶେଷ ବର୍ଣ୍ଣନା, ଏ ସ୍ଥଳରେ କରାଯିବାର ଅବସର ନାହିଁ । ବିଶେଷଜ୍ଞମାନଙ୍କ ମତରେ ପୁଣି-

 

କଥା ଅଂଶ- ନାଟଧର୍ମୀ

ଗାନାଂଶ- ଲୋକଧର୍ମୀ

 

ନାଟ୍ୟ ଶବ୍ଦ ନାଟକାର୍ଥରେ ବ୍ୟବହୃତ ହେଲେହେଁ ଶାସ୍ତ୍ରମତେ ଏହା କେବଳ କଥିକା (ବଚନିକା) ଅଂଶ ନୁହେଁ, ଆହୁରି ମଧ୍ୟ ନାଟ୍ୟରେ ଚାରି ପ୍ରକାର ଅଭିନୟ । (ଆଙ୍ଗିକ, ବାରିକ, ଆହାର୍ଯ୍ୟ ଓ ସାତ୍ୱିକ) ବର୍ତ୍ତମାନ ।

 

 

ଆଙ୍ଗିକ ଅଭିନୟ-

 

‘‘ତସ୍ୟ ଶାଖାଙ୍କୁରୋ ନୃତ୍ତଂ ପ୍ରଧାନଂ ତ୍ରିତୟଂ ମତମ୍’’

ତନ୍ତ୍ର ଶାଖେତି ବିଖ୍ୟାତା ବିଚିତ୍ରା ନର ବର୍ତ୍ତନା (ନା: ଶା: ସଂ୩୬)

 

ଅର୍ଥାତ୍‌ଅଙ୍ଗିକ ଅଭିନୟ ଶାଖା, ଅଙ୍କୁର ଏବଂ ନୃତ୍ତ ଦ୍ୱାରା ସଂପନ୍ନ ହୁଏ । ଏଥି ମଧ୍ୟରୁ ନୃତ୍ତ କଅଣ ?

 

ଏହା-

ବରଣୈରଙ୍ଗହାରୈଶ୍ଚ ସାଧିତଂ ନୃତ୍ତ ମୁଚ୍ୟତେ’’

 

ଏହିପରି ନାନା ଦିଗରୁ ବିଚାର କରିବାକୁ ଗଲେ ନାଟ୍ୟ, ନୃତ୍ତ ବା ନର୍ତ୍ତନ ବା ସଙ୍ଗୀତ ନୁହେଁ ବା ଏ ସବୁରୁ ଏକାବେଳେ ଅଲଗା ଏକଥା କହିହେବ ନାହିଁ । ନାଟ୍ୟ, ନୃତ୍ତ ଓ ନୃତ୍ୟ ସଂପର୍କୀୟ ବିସ୍ତୃତ ଆଲୋଚନା ଏ ପୁସ୍ତିକାର ଲକ୍ଷ୍ୟ ନୁହେଁ ।

 

ଏଠାରେ ନାଟ୍ୟ ଶାସ୍ତ୍ରୋକ୍ତି ନର୍ତ୍ତନାଧ୍ୟାୟରୁ କେତେକାଂଶ ମାତ୍ର ଅନୁସରଣ କରାଯାଇଅଛି-

 

ପ୍ରବୃତ୍ତି

ମହାମତି ଭରତ ତାଙ୍କ କାଳର ପ୍ରଚଳନ ଦୃଷ୍ଟିରୁ (ନାଟ୍ୟଶାସ୍ତ୍ର ୧୪ଶ ଅଧ୍ୟାୟ) । ‘‘ନାଟ୍ୟ ପ୍ରୟୋଗତଃ’’ ଭାରତକୁ ଚାରି ଗୋଟି ପ୍ରବୃତ୍ତରେ ବିଭକ୍ତ କରି ଯାଇଅଛନ୍ତି । ଏହା ପ୍ରଦେଶାନ୍ତର ପ୍ରଚଳିତ ବେଶ, ଭାଷା, ରୁଚି ଓ ପ୍ରକୃତି ଇତ୍ୟାଦି ଇତ୍ୟାଦିର ବିଜ୍ଞ ପରିକଳ୍ପନାରେ ଏକ ଏକ ବିଶେଷ ବିଶେଷ ବିଭକ୍ତିକରଣ । ତନ୍ତଧ୍ୟରେ ‘‘ଓଡ଼୍ରମାଗଧି’’ ଅନ୍ୟତମ ପ୍ରବୃତ୍ତ । ନାଟ୍ୟ ଶବ୍ଦର ଅର୍ଥ ସମ୍ବନ୍ଧେ ଏଥିପୂର୍ବରୁ ଆଲୋଚନା ଦୃଷ୍ଟିରୁ ଏହି ପ୍ରବୃତ୍ତ ନୃତ୍ୟ ସଙ୍ଗୀତ କଳା ସମ୍ବନ୍ଧେ ମଧ୍ୟ ପ୍ରବର୍ତ୍ତି ପାରିବ ।

 

ଓଡ଼ିଶୀ ନୃତ୍ୟ

ଓଡ଼୍ରଦେଶ ବା ଓଡ଼ିଶାର ପ୍ରଚଳିତ ନୃତ୍ୟରୀତିକୁ ଓଡ଼ିଶୀ ନୃତ୍ୟ କୁହାଯାଏ । ଯେପରି ଓଡ଼ିଶୀ ରାନ୍ଧଣା, ଓଡ଼ିଶୀ ପିନ୍ଧା, ଓଡ଼ିଶୀ ଗହଣା ଇତ୍ୟାଦି ।

 

ସଙ୍ଗୀତ ନାରାୟଣ ଗ୍ରନ୍ଥରେ ନୃତ୍ୟ ଓ ଅଭିନୟ ସମ୍ବନ୍ଧେ ବହୁ ବିଷୟ ଆଲୋଚିତ ହୋଇଅଛି । ନୃତ୍ୟ ସଂପର୍କୀୟ ସ୍ୱତନ୍ତ୍ର ଗ୍ରନ୍ଥ ଭାବରେ ଅବଧି ପ୍ରାପ୍ତ ‘ଅଭିନୟ ଦର୍ପଣ ପ୍ରକାଶ’ (ଯଦୁନାଥ ରାୟସିଂହ) ଓ ‘ଅଭିନୟ ଚନ୍ଦ୍ରିକା’ (ମହେଶ୍ୱର ମହାପାତ୍ର) ଗ୍ରନ୍ଥଦ୍ୱୟ ଆଲୋଚନା କଲେ ଏହାର ସ୍ୱତନ୍ତ୍ରତା, ଶାସ୍ତ୍ରୀୟତା ତଥା ପ୍ରାଚୀନତମ ସମ୍ବନ୍ଧେ ସନ୍ଦେହର ଅବକାଶ ରହେନାହିଁ ।

 

ଏହି କ୍ଷୁଦ୍ର ପୁସ୍ତିକାରେ ବହୁଳାଂଶରେ ‘ଅଭିନୟ ଦର୍ପଣ’ ପ୍ରକାଶର ନିର୍ଦ୍ଦେଶ ଗ୍ରହଣ କରାଯାଇଅଛି । ଉକ୍ତ ଗ୍ରନ୍ଥ ମତେ-

ନାଟ୍ୟଭେଦାଃ ଯଥା :-

ନାଟ୍ୟଂ ନୃତ୍ୟଂ ତଥା ନୃତ୍ତଂ ତ୍ରିଧା ତଦପି କୀର୍ତ୍ତ୍ୟତେ

ନାଟ୍ୟ ତାଳ ପ୍ରଧାନଂ ସ୍ୟାନ୍ନୃତ୍ତଂ ହସ୍ତକ ବିସ୍ତୃତଂ

ଦୃଷ୍ଟି ପ୍ରଧାନଂ ନୃତ୍ୟଂ ସ୍ୟାଦିତ୍ୟେତେ ତ୍ରିତୟଂ ମତମ୍’’ ।

 

ଅର୍ଥାତ୍‌

ନର୍ତ୍ତନର ତିନୋଟି ବିଭାଗ-ନାଟ୍ୟ, ନୃତ୍ତ ଏବଂ ନୃତ୍ୟ । ତାଳ ପ୍ରଧାନ-ନାଟ୍ୟ, ହସ୍ତକ ବହୁଳ-ନୃତ୍ତ ଏବଂ ଦୃଷ୍ଟି ପ୍ରଧାନ-ନୃତ୍ୟ । ପୂର୍ବରୁ କୁହାଯାଇଅଛି ଯେ, ନାଟ୍ୟ ଶବ୍ଦକୁ ଓଡ଼ିଶାର ସଙ୍ଗୀତ ଗ୍ରନ୍ଥ ପ୍ରଣେତାମାନେ ନୃତ୍ୟର ଅର୍ଥପ୍ରକାଶକ ବା ପ୍ରତିଶବ୍ଦ ରୂପେ ବ୍ୟବହାର କରି ଯାଇଅଛନ୍ତି । ସେହି ଅନୁସାରେ ବୋଧହୁଏ ଓଡ଼ିଶୀନାଟ ଶବ୍ଦର ପ୍ରଚଳନ ରହିଅଛି ।

 

ଚତୁର୍ଧା ଭିନୟ

ଅଭିନୟର ଚାରିଗୋଟି ବିଭାଗ ଶାସ୍ତ୍ର ସମ୍ମତ । ଓଡ଼ିଶୀ ନୃତ୍ୟାଭିନୟ ସେହି ଚାରିଗୋଟି ବିଭାଗରେ ପରିପୃଷ୍ଟ । ସେଗୁଡ଼ିକ ଯଥା:- ଅଙ୍ଗିକ, ବାରିକ, ଆହାର୍ଯ୍ୟ ଓ ସାତ୍ତ୍ୱିକ । ନାଟ୍ୟର ମଧ୍ୟ ଏହାହିଁ ଲାକ୍ଷଣିକ ଅର୍ଥ, (ଏ’ ସଂପର୍କରେ ସଙ୍ଗୀତ ରତ୍ନାକର ସପ୍ତମ ଅଧ୍ୟାୟ ୧୭, ୧୮ ଶ୍ଲୋକ ଏବଂ ତାହାର ପାଦଟୀକା ଦ୍ରଷ୍ଟବ୍ୟ)-

 

ନୃତ୍ୟ- ଦୃଶ୍ୟ ସଙ୍ଗୀତ । ଲୟ, ତାଳ ମାନ, ରସ ଏବଂ ଅଙ୍ଗଭଙ୍ଗୀ ସହକାରେ ରୁଚିକର ହାବଭାବଯୁକ୍ତ ପଦ ବିକ୍ଷେପ କରଣହିଁ ନୃତ୍ୟ ।

 

ଆଙ୍ଗିକ ଅଭିନୟ-

ଏହା ରସ ଏବଂ ଭାବ ସୃଷ୍ଟି ପୂର୍ବକ ନୃତ୍ୟକୁ ପ୍ରାଣବନ୍ତ କରେ । ଅଙ୍ଗ ପ୍ରତ୍ୟଙ୍ଗ ଏବଂ ଉପାଙ୍ଗାଦିର ଲଳିତ ମଧୁର ପରିଚାଳନା ଏବଂ ଭାବ ବ୍ୟଞ୍ଜନା ଉପସ୍ଥାପନା ଦ୍ୱାରା ଆଙ୍ଗିକ ଅଭିନୟ ସାଧିତ ହୁଏ । ନୃତ୍ୟପାତ୍ର(ନର୍ତ୍ତକ ବା ନର୍ତ୍ତକୀ) ର ହୃଦୟଗତ ଭାବର ବାହ୍ୟିକ ଅଭିବ୍ୟକ୍ତିର ଏହା ସହାୟକ ଏବଂ ଦର୍ଶକକୁ ଏହା ରସ ପରିବେଷଣ କରେ । ରେଚକ, କରଣ ଓ ଅଙ୍ଗହାର ପ୍ରଭୃତି ଏହାର ଅନ୍ତର୍ଗତ ।

 

ବାଚିକ ଅଭିନୟ-

ସଙ୍ଗୀତ ‘‘ସ୍ୱରପଦ ତାଳାଶ୍ରୟଃ’’ । ସ୍ୱର, ପଦ ଓ ତାଳର ସମନ୍ୱୟନ ହେଲେ ତାହା ସଙ୍ଗୀତ ପଦବାଚ୍ୟ ହେବ ନାହିଁ । ସଙ୍ଗୀତରେ ପଦର ମାଧୁର୍ଯ୍ୟ ଏବଂ ଐଶ୍ୱର୍ଯ୍ୟ ଅବହେଳାର ସାମଗ୍ରୀ ନୁହେଁ । ବାଣୀ, ସ୍ୱର ଓ ତାଳ- ତିନିଗୋଟିର ସମାବେଶରେ ସଙ୍ଗୀତ । ସଙ୍ଗୀତର ଧ୍ୟାନ ଅଙ୍ଗ, ବାକ୍‌ଅଙ୍ଗ, ରାଗାଙ୍ଗ ଏବଂ କ୍ରିୟାଅଙ୍ଗ ସବୁଥିରେ ପ୍ରୋକ୍ତ ତିନିଗୋଟି ବିଭାଗ ପରିଦୃଷ୍ଟ । ସଙ୍ଗୀତ ରତ୍ନାକର ଗ୍ରନ୍ଥର ପ୍ରକୀର୍ଣ୍ଣ ଅଧ୍ୟାୟରେ ଏ ସମ୍ବନ୍ଧେ ସ୍ପଷ୍ଟଭାବେ ଆଲୋଚନା କରାଯାଇଅଛି-। ତାଙ୍କ ମତରେ ସଙ୍ଗୀତରେ ଛନ୍ଦ, ରସ, ଅଳଙ୍କାର, ଭାବ, ସ୍ଥାନକାଳ, ଜ୍ଞାନ, ଭାଷା ଏବଂ ଶବ୍ଦ ନିର୍ବାଚନ ଅବଶ୍ୟ କର୍ତ୍ତବ୍ୟ । ଶବ୍ଦାର୍ଥର ଭାବ ବ୍ୟଞ୍ଜକ ଅଭିନୟ ନୃତ୍ୟର ବିଶେଷ ଅଙ୍ଗ ।

 

ଓଡ଼ିଶୀ ସଙ୍ଗୀତ ଭାଷା ପ୍ରାଚୁର୍ଯ୍ୟରେ ଗୌରବାନ୍ୱିତ । ବାଚିକ ଅଭିନୟ ଓଡ଼ିଶୀ ନୃତ୍ୟର ଏକ ପ୍ରଧାନ ଅଙ୍ଗ । ବସ୍ତୁତଃ ନାଟ୍ୟ ବିଭାଗୀୟ କାବ୍ୟ-ପ୍ରଧାନ ବାଚିକ ଅଭିନୟ ସ୍ଥଳରେ, କଣ୍ଠ ସଙ୍ଗୀତହିଁ ନୃତ୍ୟ କ୍ଷେତ୍ରରେ ବାଚିକ ଅଂଶ ପୂରଣ କରେ ।

 

ଏହିଠାରେ ନୃତ୍ୟର ଆନୁସଂଗୀକ ବାଦ୍ୟ ବା ଯନ୍ତ୍ର ସଙ୍ଗୀତ ସମ୍ବନ୍ଧେ ଉଲ୍ଲେଖ ବୋଧହୁଏ ଅପ୍ରାସଙ୍ଗିକ ହେବନାହିଁ । ଏହା ଆବହ ସଙ୍ଗୀତ । ଗୀତ ବା କଣ୍ଠ ସଙ୍ଗୀତ ତାହାର ଅନୁଧ୍ୟାନ କରି ‘‘ଭାଷା’’ର ପରିପୂରକ ରୂପେ କାର୍ଯ୍ୟ କରିଥାଏ । ଏତଦ୍ଦ୍ୱାରା ପରିବେଶର (ଆବହଉଆ) ସୃଷ୍ଟି ଘଟି ନୃତ୍ୟର ତାଳ ଓ ଲୟାଦି ପ୍ରଦର୍ଶନରେ ଯଥେଷ୍ଟ ସାହାର୍ଯ୍ୟ ସହଯୋଗ ମିଳେ ଏବଂ ପାତ୍ରର ଅଭିନୀୟମାନ ମନର ଭାବ ସେହି ବିଶେଷ କାଳରେ (Particular time) ଗୀତ ଭାଷାର ଆବର୍ତ୍ତମାନତାରେ ମଧ୍ୟ ଆଙ୍ଗିକ ଅଭିନୟ ମାଧ୍ୟମରେ ରୂପାୟିତ ହେବା ସହଜ ସମ୍ଭବ ହୋଇଥାଏ-। ଏତେବେଳେ ଏହା ଗୀତାଂଶ ଭଳି କାର୍ଯ୍ୟକାରକ ହୁଏ । ତେଣୁ ଏହିପରି ଆବହ ସଙ୍ଗୀତକୁ ମଧ୍ୟ ନୃତ୍ୟରେ ବାଚିକ ଅଭିନୟ ଅଂଶ ବୋଲାଯାଇପାରେ ।

 

ଆହାର୍ଯ୍ୟ ଅଭିନୟ

ଶୃଙ୍ଗାର ବା ବେଶଭୂଷା, ଅଳଙ୍କାରାଦି ଧାରଣ

ଅଙ୍ଗାଭରଣ ଓ ରୂପ ସଜ୍ଜାଦି ଆହାର୍ଯ୍ୟ ଅଭିନୟ ।

ଆହାର୍ଯ୍ୟ-ଆହରଣ ଶବ୍ଦଜ             (borrowed)

 

ସାତ୍ତ୍ୱିକ ଅଭିନୟ

କୌଣସି ବିଷୟ ଘେନି ଚିତ୍ତର ଏକାଗ୍ରତା ଏବଂ ଭାବାଦି (ସ୍ନିଗ୍‌ଧା, ହୃଷ୍ଟା, କ୍ରୁଦ୍ଧା, ଦୃପ୍ତା ଇତ୍ୟାଦି ସ୍ଥାୟୀ ଏବଂ ଶୁନ୍ୟା, ମଳିନା, ଶ୍ରାନ୍ତା ଇତ୍ୟାଦି ସଞ୍ଚାରୀ) ଉଦ୍‌ବୋଧକ ଅଭିନୟ ବିଶେଷ ।

 

ଏହି ଚାରିଗୋଟି ଅଭିନୟ ବିଭାଗ ଓଡ଼ିଶୀ ନୃତ୍ୟରେ ବିଦ୍ୟମାନ । ଏ ସମ୍ବନ୍ଧେ ‘ଅଭିନୟ ଦର୍ପଣ ପ୍ରକାଶ’ର କେତେକ ଅଂଶ ଏ ସ୍ଥଳରେ ଉଦ୍ଧୃତ କରାଯାଉଅଛି :-

 

ଗୀତଦିନାଂ କ୍ରମମାହ

(କ)      ଅଙ୍ଗେ ନାଲମ୍ବୟେଦ୍‌ଗୀତଂ ହସ୍ତେନାର୍ଥଂ ପ୍ରକାଶୟେତ୍‌

ଚକ୍ଷୁର୍ଭ୍ୟାଂ ଭାବୟେଦ୍‌ଭାବଂ ପାଦାଭ୍ୟାଂ ତାଳ ନିର୍ଣ୍ଣୟମ୍‌।

ଅଙ୍ଗେ ( ଏ ସ୍ଥଳରେ ମୁଖେ) ମୁଖରେ ଗୀତ ଗାଇବ,

ହାତରେ ଅର୍ଥ ଦେଖାଇବ, ଚକ୍ଷୁ ଦୁଇଟିରେ ଭାବ ଦେଖାଇବ ।

ଦୁଇ ପାଦରେ ତାଳ ନିର୍ଣ୍ଣୟ ଦେଖାଇବ ।

(ଖ)      ଆଙ୍ଗିକୋ ବାଚିକଶ୍ଚୈବ ଆହାର୍ଯ୍ୟଃ ସାତ୍ୱିକସ୍ତଥା

ଜ୍ଞେୟଃ ସ୍ୱାଭିନୟୋ ନାଟ୍ୟେ ଚତୁର୍ଦ୍ଧା ପରିକଳ୍ପିତଃ ।

ଆଙ୍ଗିକ, ବାରିକ, ଆହାର୍ଯ୍ୟ ଓ ସାତ୍ତ୍ୱିକ-ନାଟରେ ସ୍ୱାଭିନୟ ଚାରି ପ୍ରକାର ।

 

ଯଥା-      ଅଂଗୈଃ, କୃତୋ, ଯୋଽଭିନୟଃ ସଚାଙ୍ଗିକ ଇତୀର୍ଯ୍ୟତେ

ଗୀତାନୁସଂଗୀ ଯୋ ବାକ୍ୟୈ ନାଟ୍ୟେଽସୌ ବାରିକଃ ସ୍ମୃତଃ

ସାତ୍ୱିକାଦୟ ଯୁକ୍ତୋ ଯଃ ସାତ୍ୱିକଃ ସ ତୁ କୀର୍ତ୍ତିତଃ

ଭୂଷଣଭିନୟୋ ଯସ୍ତୁ ସଚାହାର୍ଯ୍ୟ ଇତୀର୍ଯ୍ୟତେ ।

ଅର୍ଥାତ୍

ଆଙ୍ଗକ - ଅଙ୍ଗଦ୍ୱାରା ପ୍ରଦର୍ଶିତ ଅଭିନୟକୁ ଆଙ୍ଗିକ କହନ୍ତି ।

ବାଚିକ - ଗୀତାନୁସଂଗୀ ବାକ୍ୟଦ୍ୱାରା ପ୍ରବର୍ତ୍ତିକା ନାଟ୍ୟାଭିନୟକୁ ବାରିକ କୁହାଯାଏ ।

ସାତ୍ୱିକ - (ସ୍ତମ୍ଭ, ସ୍ୱେଦ, ରୋମାଞ୍ଚ, ସ୍ୱରଭଙ୍ଗ, ବେପଥୁ, ବୈବର୍ଣ୍ଣ୍ୟ, ଅଶ୍ରୁ ଓ ପ୍ରଳୟ-ଅଷ୍ଟବିଧି) ଭାବ ପ୍ରଦର୍ଶନକୁ ସାତ୍ୱିକାଭିନୟ କହନ୍ତି ।

ଆହାର୍ଯ୍ୟ - ବସନ ଭୂଷଣ ଇତ୍ୟାଦି ରୂପ ସଜ୍ଜାକୁ ଆହାର୍ଯ୍ୟାଭିନୟ କହନ୍ତି ।

 

ନାମଭେଦ

ଦେଶ କାଳ ପାତ୍ରାନୁସାରେ କେତେକ ବିଷୟର ନାମକରଣ ଓ ପ୍ରଦର୍ଶନ ରୀତିର ପାର୍ଥକ୍ୟ ଘଟିକା ସ୍ୱାଭାବିକ, ସେହି କ୍ରମରେ ଶାସ୍ତ୍ରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନୃତ୍ୟ-କରଣ ଅଙ୍ଗହାର, ଚାରି, ଉତ୍‌ପ୍ଲବନ, ମଣ୍ଡଳ ଓ ଗତି ପ୍ରଭୃତି ଭିନ୍ନ ଆଖ୍ୟା ଧାରଣକର ଓଡ଼ିଶୀ ନୃତ୍ୟରେ ପ୍ରବର୍ତ୍ତିତ । ଯେପରିକି, ଉଠା, ବଇଠା, ଠିଆ, ଚାଲି, ବୁଡ଼ା, ଭସା, ଭଉଁରୀ, ପାଲି, ଚିରା, ଚଉରସ, ନଖି ଇତ୍ୟାଦି, ଇତ୍ୟାଦି । ନାଟ୍ୟଶାସ୍ତ୍ର ବର୍ଣ୍ଣିତ ନୃତ୍ୟର ସମସ୍ତ ପ୍ରକାର ବିଭାଗ କେବଳ ଏକ ପ୍ରଦେଶ ନୃତ୍ୟ ଭଙ୍ଗିମାରେ ମିଳିବା ସମ୍ଭବପର ନୁହେଁ, ନାମକରଣରେ ମଧ୍ୟ ପ୍ରାଦେଶିକ ବିଶେଷତ୍ୱ (ଦେଶଜ) ରହିବା ସ୍ୱାଭାବିକ ।

 

ଓଡ଼ିଶୀ ନୃତ୍ୟ ତାଲିମ ପାଇବା ବେଳେ ପ୍ରଥମେ ସତାଳ ଏଇ ଚାରି, ଭ୍ରମରୀ ଓ ଉତ୍‌ପ୍ଲବନ ଇତ୍ୟାଦି ସହ ବିବିଧ ପ୍ରକାର ଦେଶ ପ୍ରଚଳିତ ଅଙ୍ଗଚାଳନା-କ୍ରମ ପାଳିତ ହୁଏ । କେହି କେହି ଏହାକୁ ‘ଅରସା’ କହନ୍ତି-ଏହା ଲୋକ କଥା।

 

ପାତ୍ର ଓ ପାତ୍ର ଗୁଣ

ନର୍ତ୍ତକ ବା ନର୍ତ୍ତକୀଙ୍କୁ ପାତ୍ର କୁହାଯାଏ, ପାତ୍ର-ନୃତ୍ୟର ଅଧାର ।

ପାତ୍ର ସଂପର୍କରେ ସଂପନ୍ନ ହେବା ଏକାନ୍ତ ଆବଶ୍ୟକ । ପାତ୍ର ନିର୍ବାଚନ ସଂପର୍କରେ ସଙ୍ଗୀତ ଶାସ୍ତ୍ରରେ ବହୁ ଆଲୋଚନା ସ୍ଥାନ ପାଇଅଛି । ଏଥିରେ ପାତ୍ରର ରୂପ, ଗୁଣ, ଏବଂ ଅବସ୍ଥା ସମ୍ବନ୍ଧେ ବିବିଧ ବିବେଚନା କର୍ତ୍ତବ୍ୟ ବୋଲି ନିର୍ଦ୍ଦିଷ୍ଟ ହୋଇଅଛି । ଅନୁସନ୍ଧିତ୍ସୁ ବିଭିନ୍ନ ସଂଙ୍ଗୀତ ଗ୍ରନ୍ଥମାନଙ୍କରେ ବିଶେଷ ଆଲୋଚନା ଦେଖି ପାରିବେ ।

 

ଯାହାହେଉ ପାତ୍ରଗୁଣ ସଂବନ୍ଧେ କେତେକ ଆବଶ୍ୟକୀୟ ବିଷୟ ନିମ୍ନରେ ଲେଖା ଯାଉଅଛି । ଏହାକୁ କେହି କେହି ପାତ୍ରପ୍ରାଣ (ଅନ୍ତରଙ୍ଗ) ବୋଲି ବର୍ଣ୍ଣନା କରିଅଛନ୍ତି । ପାତ୍ର ନିର୍ବାଚନ ପକ୍ଷେ ଏଗୁଡ଼ିକର ପ୍ରତିପାଳନ ପ୍ରତି ଦୃଷ୍ଟି ଦେବା କର୍ତ୍ତବ୍ୟ । ପାତ୍ର ଗୁଣ ଯଥା-

 

୧- ବେଗ (agility) ୨- ସ୍ଥିର (ତା) (Steadiness)

୩- ରେଖା (disples and Curves) ୬୪- ଭ୍ରମରୀ- (ଘୂର୍ଣ୍ଣନ)

୫- ଦୃଷ୍ଟି, ୬- ମେଧା, ୭- ଶ୍ରଦ୍ଧା, ୮- ଶ୍ରମପ୍ରତି ଅକାତରତା,

୯- ଭାଷାର ଶୁଦ୍ଧତା, ୧୦- ଉଚ୍ଚାରଣର ସ୍ପଷ୍ଟତା- ଏ ଗୁଣଗୁଡ଼ିକ ନୃତ୍ୟ ପାତ୍ର ପ୍ରଶଂସା ଭାଜନ କରାଏ ।

 

ଓଡ଼ିଶୀ ନୃତ୍ୟ ଓ କ୍ରମ

ପୂର୍ବରୁ କୁହାଯାଇଅଛି ଯେ ଓଡ଼୍ରଦେଶ ବା ଓଡ଼ିଶାରେ ଯେଉଁ ନୃତ୍ୟ ପ୍ରଣାଳୀ ବିସ୍ତୃତପୂର୍ବ ଯୁଗରୁ ପ୍ରଚଳିତ ତାହା ଓଡ଼ିଶୀ-ନୃତ୍ୟ ନାମରେ ପ୍ରଖ୍ୟାତ ।

 

ଅଭିନୟ ଦର୍ପଣ ପ୍ରକାଶ ମତେ-

 

ନୃତ୍ୟଂତୁ ଦ୍ୱିବିଧଂ ପୋକ୍ତଂ ଲାସ୍ୟଂ ତାଣ୍ଡବ ମିତ୍ୟପି

ସ୍ତ୍ରୀ ନୃତ୍ୟମୁଚ୍ୟତେ ଲାସ୍ୟଂ ପୁଂନୃତ୍ୟଂ ତାଣ୍ଡବଂ ମତମ୍‌

 

ଅର୍ଥାତ୍‌ନୃତ୍ୟ ଦୁଇ ପ୍ରକାର :- ଲାସ୍ୟ ଏବଂ ତାଣ୍ଡବ । ସ୍ତ୍ରୀମାନଙ୍କର ନୃତ୍ୟକୁ ଲାସ୍ୟ ଏବଂ ପୁରୁଷମାନଙ୍କ ନୃତ୍ୟକୁ ତାଣ୍ଡବ କୁହାଯାଏ ।

 

ସେଥିରେ ପୁଣି ଲେଖାଅଛି ଯେ:- ମତାନ୍ତରମାହ :-

 

ପୁଂକର୍ତ୍ତୁକଂ ଭବେନ୍ନାଟ୍ୟଂ ନୃତ୍ୟଂ ସ୍ତ୍ରୀ କର୍ତ୍ତୁକଂ ମତଂ

ସ୍ତ୍ରୀ ବେଶୀ ପୁରୁଷ କୃତଂ ନୃତ୍ତଂ ଚୋଭୟ କର୍ତ୍ତୃକମ୍‌।

 

ଅର୍ଥାତ୍‌ ପୁରୁଷ ନୃତ୍ୟକୁ ନାଟ୍ୟ, ସ୍ତ୍ରୀ ବେଶୀ ପୁରୁଷ ବା ଉଭୟଙ୍କ ଦ୍ୱାରା ନୃତ୍ତ ଅନୁଷ୍ଠିତ ହୁଏ । ଦେଶର ରୁଚି, ଆଚାର, ବ୍ୟବହାର ଓ ରୀତି ନୀତିର ପାର୍ଥକ୍ୟ ଅନୁସାରେ ନୃତ୍ୟ ପ୍ରଦର୍ଶନର ପାର୍ଥକ୍ୟ ଘଟେ । ଭରତ ନାଟ୍ୟ ଶାସ୍ତ୍ରରେ ମଧ୍ୟ ଏହାର ଉଲ୍ଲେଖ ଦେଖାଯାଏ ।

 

ଓଡ଼ିଶୀ ନୃତ୍ୟ କେତୋଟି ବିଭାଗ ଘେନି ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୁଏ । ପରମ୍ପରା ପ୍ରଚଳନ କ୍ରମେ ଅଂଶରେ ବିଭକ୍ତ କରାଯାଇଓ ପାରେ । ଯଥା-

 

୧- ରଙ୍ଗ ପ୍ରବେଶ ବା ପାତ୍ର ପ୍ରବେଶ

୨- ପୁଷ୍ପାଞ୍ଜଳି ପ୍ରଦାନ

୩- ଗଣପତି ବନ୍ଦନା

୪- ସଭାର ଅନୁମତି ପ୍ରାର୍ଥନା

୫- ଭୂମି, ଗୁରୁ ଓ ଯନ୍ତ୍ର ପ୍ରଣାମ

୬-       (କ) ନଟରାଜ ଭୈରବଙ୍କ ଆବାହନ

(ଖ) ସଂସ୍ଥାପନ

(ଗ) ପ୍ରଣାମ

୭- ନଟରାଜ ତୁଷ୍ଟି ନିମିତ୍ତ ପୂଜାନତ୍ୟ (ବଟୁନୃତ୍ୟ)

୮- ପଲ୍ଲବ ନୃତ୍ୟ

୯- ସାଭିନୟ ନୃତ୍ୟ

୧୦- ଆନନ୍ଦ ନୃତ୍ୟ

 

ନୃତ୍ୟକ୍ରମର ୬ଷ୍ଠ ବିଭାଗ ପ୍ରାରମ୍ଭରୁ ନଟରାଜ (ବଟୁକେଶ୍ୱର) ଭୈରବଙ୍କ ଆରାଧନା ସୁରିତ ହୁଏ । ତହିଁପରେ ପରେ ବିବିଧ ପୂଜା ବିଧିର ଅଭିନୟକୁ ସାଧାରଣକୁ କଥାରେ ‘‘ବଟୁନୃତ୍ୟ’’ କହନ୍ତି । ଏହା ମାନସ କୂଜା ବୋଲି ମଧ୍ୟ କଥିତ । ଷୋଡ଼ଶ ଉପଚାରରେ ଏହି ପୂଜା ନୃତ୍ୟ ସଂସାଧିତ ହେଉଥିବାର ଶୁଣାଯାଏ । ନାନା କାରଣରୁ କାଳକ୍ରମେ ଷୋଡ଼ଶ ଉପଚାର ବିଧିର ପୂର୍ଣ୍ଣ ଉପସ୍ଥାପନା ବର୍ତ୍ତମାନ ସମ୍ଭବ ହୋଇ ପାରୁନାହିଁ । କ୍ଲୁପ୍ତ ପୂଜା ବିଧି କ୍ରମରେ ପଞ୍ଚୋପଚାର ପୂଜାର ନୃତ୍ୟ ମାତ୍ର ଏ ସ୍ଥଳରେ ଲିଖିତ ହେଉଅଛି । ଏ ସଂପର୍କରେ ସଙ୍ଗୀତ ନାରାୟଣ, ନାଟ୍ୟ ମନୋରମା ଓ ଅଭିନୟ ଦର୍ପଣ ପ୍ରକାଶ ପ୍ରଭୃତି ଗ୍ରନ୍ଥର କେତେକ ନିର୍ଦ୍ଦେଶ ଅନୁସରଣ କରାଯାଇଅଛି ।

 

(୨) ପଲ୍ଲବୀ- ଗାୟକ ଗୀତ ଗାଇବା ପୂର୍ବେ ରାଗାଳୟ କଲା ପରି ଏହା ପରବର୍ତ୍ତୀ ସାଭିନୟ ନୃତ୍ୟରେ ବ୍ୟବହୃତ ରାଗର ସଂକ୍ଷିପ୍ତ ପରିଚୟ କଳ୍ପନା ମାତ୍ର । ଏହା କେବଳ ସ୍ୱର ପଲ୍ଲବୀ ବା ସ୍ୱର ବା ବାଦ୍ୟ ଉଭୟବିଧି ପଲ୍ଲବୀ ରୂପେ ମଧ୍ୟ ଉପସ୍ଥାପିତ ହୋଇଥାଏ ।

 

(୩) ଆନନ୍ଦ ନୃତ୍ୟକୁ ଲୋକ-କଥାରେ ‘ଝମତାରି’ ବା ‘ପହପଟ’ ନୃତ୍ୟ ମଧ୍ୟ କହନ୍ତି । ଏଥିରେ ଦ୍ରୁତଲୟରେ ନର୍ତ୍ତନକ୍ରିୟା ସାଧିତ ହୋଇ ନୃତ୍ୟର ପରିସମାପ୍ତି ଘଟିଥାଏ । ଏହାକୁ ଓଡ଼ିଶୀ ନତ୍ୟର (climax) ଚୂଡ଼ାନ୍ତ ବୋଲି କହିଲେ ଅତ୍ୟକ୍ତ ହେବ ନାହିଁ ।

 

ଦ୍ର: ଏ ପୁସ୍ତିକାରେ କେବଳ ବଟୁନୃତ୍ୟ ବିଭାଗ ପର୍ଯ୍ୟନ୍ତ ନୃତ୍ୟାଂଶରେ ସାମାନ୍ୟ କତେକ ଆଲୋଚନା ଉପସ୍ଥାପିତ କରାଯାଉଅଛି ।

 

‘ବଟୁନୃତ୍ୟ’- ଏହି ନାମ ପୁରାତନ ସଙ୍ଗୀତ ଶିକ୍ଷକ ବା ଗୋଟିପୁଅ ଦଳର ଗୁରୁମାନଙ୍କ ମୁଖରୁ ଶୁଣାଯାଏ । ଏହା କିପରି ବା କେବେ ଏପରି ଆଖ୍ୟା ଗ୍ରହଣ କରିଅଛି, ସେ ସମ୍ବନ୍ଧେ ଅବଧି ଶାସ୍ତ୍ର ପ୍ରମାଣ ମିଳିନାହିଁ । ଅଭିନୟ-ପ୍ରକାଶ ଗ୍ରନ୍ଥର ନଟରାଜ ଶିବଙ୍କ ଉଦ୍ଦେଶ୍ୟରେ ବିହିତ ପୂଜା ବିଧିର ନୃତ୍ୟାଂଶକୁ ଚଳନ୍ତି କଥାରେ (ବଟଭୈରବ ପୂଜନ) ବଟୁ ନୃତ୍ୟ ବୋଲି କୁହାଯାଉଥିବାର ବହୁସ୍ଥଳରେ ଲୋକ ପ୍ରସିଦ୍ଧି ଓ ପ୍ରଚଳନ ରହିଅଛି । ପରମ୍ପରା କ୍ରମେ ଗୁରୁମାନଙ୍କ ମୁଖରୁ ଶୁଣାଯାଏ ଓ ଦେଖାଯାଏ ସେଥିରେ ତାହା ଅ: ଦ: ପ୍ର: ର ପ୍ରୋକ୍ତ ଅଂଶ ବାଲି ବିବେଚିତ ହେବା ଅସମ୍ଭବ ବା ଅସମୀଚନ ମନେ ହୁଏ । ମନେ ହୁଏ ।

 

-ନୃତ୍ୟବିଧି-

ରଙ୍ଗପ୍ରବେଶ ବା ପାତ୍ର ପ୍ରବେଶ

ନେପଥ୍ୟ ଗୃହ ମଧ୍ୟରୁ ପାତ୍ର ସୁବେଶ ହୋଇ ରଙ୍ଗସ୍ଥଳୀ ବା ମଞ୍ଚରେ ପ୍ରଥମ ପ୍ରବେଶ କରିବାକୁ ରଙ୍ଗ ପ୍ରବେଶ ଶାସ୍ତ୍ରାନ୍ତରେ ପାତ୍ର ପ୍ରବେଶ କୁହଯାଏ ।

 

-ସଙ୍ଗୀତ ନାରାୟଣ ମତେ-

ସଭାସ୍ଥଳୀରେ ବାଦ୍ୟକାର ପ୍ରବନ୍ଧ ବାଦ୍ୟ ବଜାଇବେ, ତାଳକାର ତେଳ ଦେଉଥିବେ, ମାନ ଛିଣ୍ଡିଲା ବେଳକୁ ପାତ୍ର ପୁଷ୍ପାଞ୍ଜଳି ସହ ରଙ୍ଗ ସ୍ଥଳିରେ ପ୍ରବେଶ କରିବେ । ଏହାକୁ ରଙ୍ଗ ପ୍ରବେଶ କହନ୍ତି । ତାଙ୍କ ମତରେ :-

 

‘‘ବାଦ୍ୟାନାଂ ନାଦସାମ୍ୟନ୍ତୁ କୃତ୍ୱାବିହିତ ମାନସାଃ

ମେଳାପଙ୍କ ବାଦୟେୟୁଃ ପ୍ରବନ୍ଧ ଜଗରଂତତଃ

ତତୋ ଯବନିକା ମଧ୍ୟେ ବଦନଂ କୁସୁମାଞ୍ଜଳିମ୍‌,

ପାତ୍ର ତିଷ୍ଠେଦଧିଷ୍ଠାୟେ ସ୍ଥାନକଂ ସୌଷ୍ଠବାନ୍ୱିତମ୍‌

ତତଶ୍ଚୋପସମାରମ୍ଭେଽନ୍ତର୍ଦ୍ଧାନେ ଚାପସାରିତେ

ସଭାଜନ ମନୋହାରୀ ପାତ୍ରଂ ରଙ୍ଗ ଭୁବଂ ବିଶେତ୍‌’’ ଇତ୍ୟାଦି

 

ପାଇ- ରଙ୍ଗ ସ୍ଥଳରେ ପାତ୍ର ଉପସ୍ଥିତ ହେବା ପରେ ଯେଉଁ ଭଙ୍ଗିରେ ଠିଆ ହୋଇ ରହନ୍ତି, ତାହାକୁ ଥାଇ କହନ୍ତି । ଏହି ‘ଥାଇ’ ଶବ୍ଦ ସ୍ଥାୟୀ ଶବ୍ଦର ଅପଭ୍ରଂଶ । ଅ: ଦ: ପ୍ରକାଶ ଗ୍ରନ୍ଥରେ ସ୍ଥାନ ବିଦ୍ୟାଷ୍ଟକ ବୋଲି ଉଲ୍ଲେଖ ଅଛି । ଏହା ନାଟ୍ୟଶାସ୍ତ୍ର, ସଙ୍ଗୀତ ରତ୍ନାକର ଓ ସଂ:ନାରାୟଣ ପ୍ରଭୃତି ଗ୍ରନ୍ଥ ବର୍ଣ୍ଣିତ ସ୍ଥାନକ । ସ୍ଥାନକ ହଁ ବର୍ତ୍ତମାନ ‘ଥାଇ’ ରୂପେ କଥିତ ହେବାପରି ବୋଧ ହୁଏ ।

 

-ଥାଇ ଭଙ୍ଗି-

ବିଗତ ୩୦।୪୦ ବର୍ଷ କାଳରୁ ଦେଖୁଥିବା ପ୍ରଚଳିତ ଥାଇ ଭଙ୍ଗିର ବର୍ଣ୍ଣନା ନିମ୍ନରେ ଦିଆ ଯାଉଅଛି । କେତେକ ସ୍ଥଳରେ ମନ୍ଦିରା ଗାତ୍ରରେ ଏହାର ଅବିକଳ ଭଙ୍ଗି ମୂର୍ତ୍ତୀମାନ ମଧ୍ୟ ବିଦ୍ୟମାନ-

 

ଏହି ଭଙ୍ଗି କାଳରେ ପାତ୍ର ସାଧାରଣତଃ ତ୍ରିଭଙ୍ଗ ଠାଣିରେ ଠିଆ ହୁଅନ୍ତି । ଡ଼ାହାଣ ପାଦ ବାମ ପାଦଠାରୁ ସମକୋଣରେ ରହି, ଦକ୍ଷିଣ ମୁଖା ହୋଇଥାଏ ଏବଂ ଗୋଇଠି ପାଦଠାରୁ ସମକୋଣରେ ରହି, ଦକ୍ଷିଣ ମୁଖା ହୋଇଥାଏ ଏବଂ ଗୋଇଠି ଟେକି ପାଦର ଅଗ୍ରଭାମ ତଳିପା ଓ ଆଙ୍ଗୁଳି ଭୂମି ସଂଲଗ୍ନ ଏବଂ ଗୋଇଠି ବାମ ପାଦର କଳାଗଣ୍ଠି ଉପରକୁ ଲାଗି ରହେ ।

 

କଟି ତଳରୁ ବାମ ଜଙ୍ଘ ବାମ ଦିଗକୁ ଅଳ୍ପ ଉଦ୍‌ବାହିତ ଅବସ୍ଥାରେ ରହେ । କଟିଠାରୁ ବକ୍ଷଦେଶ ଡ଼ାହାଣ ପଟକୁ ଠେଲି ରହିବା ପରି ଥାଏ । ଗ୍ରୀବା ଓ ଶିର ଉପରମୁଦ୍ରା ନ ହୋଇ ବାମକୁ ଅଳ୍ପ ଢଳି ରହେ । ଆଖି ତାରା ଡ଼ାହାଣ କୋଣ ଆଡ଼କୁ ରହି ନିମ୍ନ ଦୃଷ୍ଟି (ଧ୍ୟାନଦୃଷ୍ଟି) ହୁଏ । ଏତେବେଳେ ମୁଖରେ ପ୍ରସନ୍ନତା ରହିବ । ଦକ୍ଷିଣ ହସ୍ତ (ପତାକ) ଦୋଳହସ୍ତ ଏବଂ ବାମହସ୍ତ ମୁଷ୍ଟି କରରେ ବାମ କଟି ନ୍ୟସ୍ତ ହୋଇଥାଏ ।

 

 

 

(ଖ)

-କୁସୁମାଞ୍ଜଳି ପ୍ରଦାନ ବିଧି-

-ଅଭିନୟ ଦର୍ପଣ ମତେ-

-ବିଧି ବାକ୍ୟମ୍‌

କୁସୁମାଞ୍ଜଳି ପଞ୍ଚକମ୍‌ ପୁରୋ ବିଦଧୀତ ।

ବୃହିଣାୟ, ବିଷ୍ଣବେ, ଶିବାୟ, ଭବେ, ଗଣେଶାୟ ।

ଶିରୋ ହୃଦୟ ନାଭି ପାଦ ଗଳେଷୁଚ

ତନ୍ତ୍ର ବ୍ରହ୍ମଣେ ଶିରସି, ବିଷ୍ଣବେ ହୃଦି, ଶିବାୟନାଭୈ, ଭବେ

ପାଦାଗ୍ରେ, ଗଣେଶାୟ ଗଳ ଦେଶେ ଇତିତ୍ରମାତ୍ ନ୍ୟସେତ୍‌।’

ଦ୍ରଷ୍ଟବ୍ୟ - ପ୍ରୋକ୍ତ ଗ୍ରନ୍ଥରେ ପଞ୍ଚ ଦେବତାଙ୍କ ଲାଗି ଉଦ୍ଦିଷ୍ଟ ଏହି ପାଞ୍ଚ ପୁଷ୍ପାଞ୍ଜଳି ପ୍ରଦାନ କାଳରେ ପାଞ୍ଚ ଗୋଟି ମନୋଜ୍ଞ ଶ୍ଳୋକ ଲିଖିତ ହୋଇଅଛି । ତହିଁରୁ ଅନୁମତି ହୁଏ ଯେ, ଏଗୁଡ଼ିକ ସେ କାଳରେ ଆବୃତ୍ତ ହେଉଥିଲା । ଆଧୁନିକ କାଳ, ଓ ରୁଚି କଳ୍ପନାରେ ଏହା ସମୟ ସାପେକ୍ଷ, ତଥା ଦର୍ଶକଙ୍କ ପକ୍ଷେ ଭାର ବୋଧ ହେବା ସ୍ୱାଭାବିକ, ଏଣୁ ଶ୍ଳୋକ ଗୁଡ଼ିକର ଉଲ୍ଲେଖ ଅନାବଶ୍ୟକ ମନେହୁଏ । ସମ୍ଭବତଃ ଏହି କାରଣରୁ କ୍ରମଶଃ ଏ ଗୁଡ଼ିକର ଆବୃତ୍ତି ଓ ବ୍ୟବହାର ଲୋପ ପାଇଅଛି।

ନାଟ୍ୟ ପ୍ରଦର୍ଶନ କାଳର ଦୀର୍ଘତ୍ୱ ସମ୍ବନ୍ଧେ ମଧ୍ୟ ସଙ୍ଗୀତ ନାରାୟଣରେ ଲେଖା ଯେ :-

ଯାମମାତ୍ର ସମାପ୍ୟନ୍ୟ ତନ୍ନାଟ୍ୟଂ ରାଗବର୍ଦ୍ଧନଂ;

ଦୀର୍ଘଂ ବିରାଗ ଜନନଂ ସ୍ମୃତୋ ନାଟ୍ୟଂ ବିବର୍ଜୟେତ୍‌

 

ଅର୍ଥାତ୍‌ ଯାମ ମାତ୍ର (ପର୍ଯ୍ୟନ୍ତ) ନାଟ୍ୟ (ନୃତ୍ୟଂ) କରିବ । ଏଥିରୁ ଅଧିକ କାଳ ବିରାଗ-ଜନକ ।

 

(ଗ)

-ଗଣପତି ବନ୍ଦନା-

ଏହାପରେ ସକଳ ପ୍ରକାର ବିଘ୍ନ ନିକାରଣ ନିମିତ୍ତ ଗଣନାୟକ ବିଘ୍ନରାଜଙ୍କ ସ୍ତବ ପାଠର ରୀତି ଅଛି । ବିଭିନ୍ନ ଗ୍ରନ୍ଥରେ ଏହି ସ୍ତବର ଭିନ୍ନ ଭିନ୍ନ ରଚନା ଦୃଷ୍ଟି ହୁଏ । ବର୍ତ୍ତମାନ ନିଜ ନିଜର (ପାଳିଆ) ଦଳ ବା ଗୁରୁ ଗଣପତି ବନ୍ଦନା ପାଠ କରନ୍ତି । ଆଗେ ପାତ୍ର ଏବଂ ଗୁରୁ ଏହା ପାଠ କରୁଥିଲେ ।

 

ପାତ୍ର ଏହି ସମୟରେ ସ୍ୱୀୟ ବକ୍ଷ ନିକଟରେ ଯୁକ୍ତକର ରଖି ଠିଆ ହୁଅନ୍ତି । ଶରୀର ରୁଜ ଅବସ୍ଥାରେ ରହେ ।

 

ଆଜିକାଲି କେହି କେହି ଅଭିନୟ ସହ ବନ୍ଦନା ପାଠ କରନ୍ତି ଏବଂ ଲଘୁନୃତ୍ୟଂ ବା ଶ୍ଳୋକର ଛନ୍ଦାନୁସାରି ତାଳାଘାତ କରନ୍ତି । କିନ୍ତୁ ପୂର୍ବତନ ଗୋଟିପୁଅ ବା ଆଖଡ଼ା ପିଲା ଦଳ ବନ୍ଦନା ପାଠ କାଳରେ ନୀରବ ଭାବରେ କେବଳ ପୂର୍ବ ଲିଖିତ ଭଙ୍ଗିରେ ଠିଆ ହେବାର ରୀତି ଦେଖାଯାଉଥିଲା । ବାସ୍ତବରେ ପ୍ରାର୍ଥନା ବା ନିବେଦନ କାଳରେ ନୃତ୍ୟ କିମ୍ବା ପାରିଜାର ଆବଶ୍ୟକତା କେତେ ଦୂର ସମୀଚନ ତାହା ବିଚାର୍ଯ୍ୟ ବିଷୟ ।

 

 

 

 

 

(ଘ)

ସଭାର ଅନୁମତି ପ୍ରାର୍ଥନା

ଗଣପତି ବନ୍ଦନା ପରେ ପାତ୍ର ନୃତ୍ୟ ପ୍ରଦର୍ଶନ ନିମିତ୍ତ ସଭାର ଅନୁମତି ପ୍ରାର୍ଥନା କରିବେ-। ଏ ସଂପର୍କରେ ଅ.ଦ.ପ୍ର: ର ଉଲ୍ଲେଖ ନିମ୍ନରୂପ ଯଥା :-

 

‘‘ସଭ୍ୟାନ୍‌ସ୍ତାନ୍‌ ସମ୍ମୁଖୀକୃତ୍ୟ ନର୍ତ୍ତକସ୍ତଦନୁଜ୍ଞୟା

ପ୍ରାରଭେତ୍ ତତୋନୃତ୍ୟ ସୁଚୟନ୍‌ ବୀଜବସ୍ତୁନି’’ ।

 

ଅର୍ଥାତ୍‌ ନର୍ତ୍ତକ ବା ପାତ୍ର ସଭ୍ୟ ବା ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ବା ସେମାନଙ୍କ ଦିଗକୁ ମୁଖକରି ନୃତ୍ୟ ପ୍ରଦର୍ଶନର ଅନୁମତି ପ୍ରାର୍ଥନା କରିବେ । ତହିଁପରେ ନିର୍ଦ୍ଦିଷ୍ଟ ବିଷୟ ମାନଙ୍କର ସୂଚନା ସହ ନୃତ୍ୟାରମ୍ଭ କରିବେ ।

 

ଏ ସ୍ଥଳରେ ଆହୁରି ମଧ୍ୟ ବର୍ଣ୍ଣିତ ହୋଇଅଛି ଯେ ପାତ୍ର ନିମ୍ନ ଲିଖିତ ମତେ ପ୍ରାର୍ଥନା ଉପସ୍ଥାପିତ କରିବେ ।

ଯଥା:

‘‘ସଙ୍ଗୀତ ନାଟ୍ୟଭିନୟେଷୁ ସତ୍ସ

ଭବେଦ୍‌ ଯଦି ପ୍ରସ୍ଖଳନଂ କଦାଚିତ୍‌

ହାସ୍ୟ ନକୁର୍ବନ୍ତୁ ତଦାପ୍ରସହ୍ୟ

ସଭାସଦଃ ସର୍ବ କଳାଭିରାମାଃ’’ ।

 

ଅର୍ଥାତ୍‌ ମୋର ସଙ୍ଗୀତ ନାଟ୍ୟାଭିନୟ ପ୍ରଦର୍ଶନ ବେଳେ ଯଦି କୌଣସି ଭ୍ରମ ପ୍ରମାଦ ଘଟେ ତେବେ କଳା (ସଙ୍ଗୀତ ପ୍ରବୀଣ ସଭାସଦ୍‌ବର୍ଗ ହାସ୍ୟ ନ କରନ୍ତୁ ଅର୍ଥାତ୍ କ୍ଷମା ଦିଅନ୍ତୁ; ଏଥି ନିମିତ୍ତ ମୁଁ ପ୍ରାର୍ଥନା କରୁଅଛି)

ଏ ସମ୍ବନ୍ଧେ ସଂ: ନାରାୟଣରେ ମଧ୍ୟ ଏହିପରି ନିର୍ଦ୍ଦେଶ ଅଛି ।

 

ଦ୍ରଷ୍ଟବ୍ୟ - ଏହି ସ୍ଥଳରେ କେହି କେହି ସଭାର ଅନୁମତି ପ୍ରାର୍ଥନା ଓ ଗଣପତି ବନ୍ଦନା ବିଭାଗ ଘେନି ଅଗ୍ରପଶ୍ଚାତ୍‌ ପ୍ରଦର୍ଶନ ରୀତି ମଧ୍ୟ ଦୃଷ୍ଟ ହୁଏ । ଏ ପୁସ୍ତକରେ ପ୍ରଥମେ ଗଣପତି ବନ୍ଦନ ବା ବିଘ୍ନ ନିବାରଣ ନିମିତ୍ତ ପ୍ରାର୍ଥନା ପରେ, ସଭାର ଅନୁମତି ସୂଚିତ ହୋଇଅଛି । ସକଳ ବିଘ୍ନ ବିନାଶନ କଳ୍ପେ ପ୍ରଥମ ବିଘ୍ନରାଜ ସ୍ତୁତି ହିଁ ପ୍ରଶସ୍ତ ମନେ ହୁଏ ।

 

(ଙ)

ଭୂମି ପ୍ରଣାମ

ସଭ୍ୟମାନଙ୍କ ଠାରୁ ଅନୁମତି ପ୍ରାର୍ଥନା ପରେ ପାତ୍ର ଭୂମି, ଗୁରୁ ଓ ଯନ୍ତ୍ରକୁ ପ୍ରଣାମ କରିବେ-। ଏହାକୁ କେହି କେହି ରଙ୍ଗ ପ୍ରମାଣ କହନ୍ତି ।

 

ପାତ୍ର ପ୍ରଥମେ ନଇଁକରି ଦୁଇହସ୍ତ (ପତାକା କର) ରେ ଭୂମି ସ୍ପର୍ଶ କରିବେ । ତା ପରେ ଟିକିଏ (ପ୍ରାୟ ଏକପାଦ କରି ପଛକୁ ଆସି) ଗୁରୁ ଓ ପରେ ଯନ୍ତ୍ର ପ୍ରଣାମ କରିବେ ।

 

ପ୍ରୋକ୍ତ ରିତୀର ତିନିଗୋଟି ପ୍ରଣାମକୁ କଥାରେ ‘ତ୍ରିଖଣ୍ଡି ମୟୁରା’ ବୋଲି କହି ଥାଆନ୍ତି ।

 

 

 

 

(ଚ)

ବଟୁନୃତ୍ୟ

ଏହା ପରେ ବଟୁନୃତ୍ୟ ଅନୁଷ୍ଠିତ ହୁଏ । ବଟୁନୃତ୍ୟ ସମ୍ବନ୍ଧେ ପୂର୍ବରୁ କେତେକ କଥା ଲେଖା ଯାଇଅଛି । ବଟୁନୃତ୍ୟ ଆରମ୍ଭ ପୂର୍ବରୁ ଏବଂ ଭୂମି ପ୍ରଣାମ ପରେ ନଟରାଜ ଭୈରବଙ୍କ ସ୍ତୋତ୍ର ପାଠ ବିଧି । ନିମ୍ନଲିଖିତ ଶ୍ଳୋକଟି ଅଭିନୟ ଦର୍ପଣ ପ୍ରକାଶରୁ ଗୃହୀତ । ଯଥା:-

 

‘‘ରତ୍ନୈଃ କଳ୍ପିତ ମାସନଂ ହିମଜଳୈଃ ସ୍ନାନଂ ଚ ଦିବ୍ୟାମ୍ବରଂ

ନାନା ରତ୍ନ-ବିଭୂଷିତଂ ମୃଗମଦା ମୋଦାଙ୍କିତଂ ଚନ୍ଦନଂ

ଜାତି ଚମ୍ପକ ବିଲ୍ୱପତ୍ର ରଚିତଂ ପୁଷ୍ପଂ ଚ ଧୂପଂ ତଥା

ଦୀପଂ ଦେବ ଦୟାନିଧେ, ପଶୁପତେ ହୃତ୍‌କଳ୍ପିତଂ ଗୃହ୍ୟତାମ୍‌।’’

 

ପ୍ରଚଳନ ଅନୁସାରେ ଶ୍ଳୋକ ପାଠାନ୍ତେ ଆବାହନ, ସଂସ୍ଥାପନ ଓ ପ୍ରଣାମାନନ୍ତର ବଟୁକ ଭୈରବଙ୍କର ପୂଜା ବିଧିକୁ ବଟୁନୃତ୍ୟ କୁହରଯାଉ ଅଛି । ଷୋଡ଼ଶ ଉପଚାର, ଦଶୋପଚାର ବା ପଞ୍ଚୋପଚାରରେ ଏହା ସାଧିତ ହୁଏ । ନିମ୍ନରେ ପଞ୍ଚୋପଚାର କ୍ରମ ଦିଆଗଲା ଯଥା:-

 

(୧) ଗନ୍ଧ (୨) ପୁଷ୍ପ (୩) ଧୂପ (୪) ଦୀପ (୫) ନୈବେଦ୍ୟ

ପାତ୍ର ପ୍ରୋକ୍ତ କାର୍ଯ୍ୟାନୁଷ୍ଠାନ ବେଳେ ତଦୁପଚାର ବିଧି ହେତୁ ପ୍ରଦର୍ଶନ ପୂର୍ବକ ବଟୁନୃତ୍ୟ ସମାପ୍ତ କରିବେ । ପଞ୍ଚପଚାର ବିଧି ହେତୁ ଏହା ବଟୁ ନୃତ୍ୟର କ୍ଳୁପ୍ତ ପୂଜା ।

 

ବ୍ୟାବହାରିକ ନୃତ୍ୟପ୍ରକରଣ (Practical)

ଏଥି ପୂର୍ବେ ନୃତ୍ୟ ସମ୍ବନ୍ଧେ ଓୌପପତ୍ତକ (Theory) ସାଧନର ସଂକ୍ଷିପ୍ତ ବିଧି ଲେଖାଯାଇଅଛି । ନିମ୍ନରେ ବାଦ୍ୟ ଚଚ୍ଚକାର (ଉକୁଟ) ସହ ସେହି ଗୁଡ଼ିକର ପ୍ରଦର୍ଶନ କ୍ରମ ଦିଆଗଲା ।

 

(କ)

ପାତ୍ର ପ୍ରବେଶ

ବାଦ୍ୟ ଓ ତାଳକାର ଆଳାପନା ବାଦ୍ୟ ବାଦନ ପରେ ଇଚ୍ଛା ଅନୁସାରେ ତାଳର ଉପଯୁକ୍ତ ମୁକ୍ତାର (ତିହାଇ) ବଜାଇବେ । ଏଇ ମୁକ୍ତାର ଶେଷ(ମାନ ଛିଣ୍ଡିଲା ବେଳ) ରେ ପାତ୍ର ପୁଷ୍ପାଞ୍ଜଳି ର ଅଭିନୟସହ ରଙ୍ଗ ସ୍ଥଳରେ ପ୍ରବେଶ କରିବେ ।

 

-ଚଚ୍ଚକାର-

ରାସତାଳ (୪ମାତ୍ରା)

ଧାକ୍‌

ଧିନ୍ଦା

କିଟା

ଧିନ୍‌

 

ଧାକ୍‌

ଧିନ୍ଦା

କିଟା

ଧିନ୍‌

 

 

 

 

 

 

 

 

 

ତାକ୍‌

ତିନ୍ଦା

କିଟା

ତିନ୍‌

 

ତାକ୍‌

ଧିନ୍ଦା

କିଟା

ଧିନ୍‌

 

ରଙ୍ଗ ପୀଠର ମଧ୍ୟ ସ୍ଥଳୀରେ ଉପସ୍ଥିତ ହେବା ପର୍ଯ୍ୟନ୍ତ (ପୀଠର ପରିସର ଅନୁସାରେ ଯେତେବାର ଆବଶ୍ୟକ ହେବ) ଏହି ତାଳରେ ବାଦ୍ୟ ବାଜିବ, ପାତ୍ର ଚଚ୍ଚକାର ଅନୁଯାୟୀ, ତାଳର ମାତ୍ରାସହ ସମତା ରକ୍ଷାକରି ପଦ ପାତକରି ନେପଥ୍ୟ ଗୃହରୁ ମଞ୍ଚପ୍ରବେଶ କରିବେ । ଉକୁଟ ମଧ୍ୟ ଲୟରେ ବାଦିତ ହେବ । ପାତ୍ର ଡ଼ାହାଣ ପାଦରୁ ପ୍ରଥମେ ନୃତ୍ୟାରମ୍ଭ କରିବେ ଏବଂ ଗୋଇଠି ଦ୍ୱାରା ଆଘାତରୁ ତାଳାରମ୍ଭ କରିବେ ।

ପାତ୍ର ରଙ୍ଗପଠର ମଧ୍ୟ ସ୍ଥଳରେ ପହଞ୍ଚି, କ୍ଷଣକାଳ ‘ସ୍ଥାୟୀ’ ଭଙ୍ଗିରେ ରହିବେ । ଚଳନ୍ତି କଥାରେ ଏହାକୁ ‘ଥାଇ’ କହନ୍ତି । ଏହା ପୁଷ୍ପାଞ୍ଜଳି ପ୍ରଦାନ ବିଧିର ପ୍ରସ୍ତୁତ କାଳ ମାତ୍ର ।

(ଖ)

ପୁଷ୍ପାଞ୍ଜଳି ପ୍ରଦାନ କ୍ରିୟା

ପୂର୍ବୋକ୍ତ ‘‘ଧାକ୍‌ଧିନ୍ଦା ’ ଇତ୍ୟାଦି ବାଦ୍ୟ ଶେଷରେ ଯେଉଁ ମୁକ୍ତାଙ୍ଗ (ତିହାଇ ବା କାଟଣ) ସଂଯୋଗ କରାହେବ ତହିଁ ସହିତ ପାଦର ସମତା ରକ୍ଷାକରି ନୃତ୍ୟସହ ପୁଷ୍ପାଞ୍ଜଳି ସଂପର୍କରେ ନିର୍ଦ୍ଦେଶିତ କ୍ରମାନୁସାରେ ପାତ୍ର ପୁଷ୍ପାଞ୍ଜଳି (ଅଭିନୟ) ଦେବେ । ନିମ୍ନରେ ଗୋଟିଏ ମୁକ୍ତାଇର ନମୁନା ଦିଆ ଯାଉଅଛି ।

ଚଚ୍ଚକାର

ଧାକ

ଧିନ୍ଦା

କେଡ଼େତାକ୍‌

ଗଦିଘନ

 

 

 

 

ଧା

ଥେ

ଧାକ୍‌

ଧିନ୍ଦା

 

 

 

 

କଡ଼ତାକ

ଗଦିଘନ

ଧା

ଥୈ

 

 

 

 

ଧାକ୍‌

ଧିନ୍ଦା

କଡ଼୍‌ତାକ୍‌

ଗଦିଘନ । (ଧା) ।

 

ପୁଷ୍ପାଞ୍ଜଳି ପ୍ରଦାନ କ୍ରିୟା:-      

୧- ଶିର (ବ୍ରହ୍ମା), ୨-ହୃଦୟ (ବିଷ୍ଣୁ), ୩-ନାଭି (ଶିବ), ୪-ପାଦାଗ୍ର (ପୃଥିବୀ), ୫-କଣ୍ଠ (ଗଣେଶ)- ଏହି ବିଧିର ପ୍ରଦତ୍ତ ହେବ । ଏଥିପୂର୍ବରୁ ଏ ସମ୍ବନ୍ଧରେ ବର୍ଣ୍ଣନା ଦିଆଯାଇଅଛି ।

 

(ଗ)

ବିଘ୍ନରାଜ ସ୍ତୁତି

ପୁଷ୍ପାଞ୍ଜଳି ପ୍ରଦାନ କ୍ରିୟାରେ ବିଘ୍ନ ନିବାରଣ କଳ୍ପେ ଇଚ୍ଛାମତ ବାଛି ବିଘ୍ନରାଜ ଗଣେଶଙ୍କ ସ୍ତବ ପାଠ କରାଯାଏ ।

 

-କ୍ରିୟା-

ବାମପାଦ ବୃଦ୍ଧାଙ୍ଗୁଷ୍ଠି ଉପରେ ଦକ୍ଷିଣପାଦ ବୃଦ୍ଧାଙ୍ଗୁଷ୍ଠିକୁ ଚପାଇ ଦେବାକୁ ହେବ । ଦୁଇକର ଏକତ୍ର ଯୋଡ଼ି ନିକଟରେ ରଖିବାକୁ ହେବ । ଧ୍ୟାନଦୃଷ୍ଟି ହେବ । ସମଶିର ହେବ, ଦେହ ସରଳ ରହିବ । ଦ:-(ଦେବତା, ଗୁରୁ ବା ମାନ୍ୟବ୍ୟକ୍ତିଙ୍କ ସମ୍ମୁଖରେ ସମ୍ମାନ ଓ ବିନୟ ପୂର୍ବକ ଠିଆ ହେବାବେଳେ ପଦ ପ୍ରଦର୍ଶିତ ହୁଏ ନାହିଁ । ଏହାହିଁ ଆଙ୍ଗୁଠି ଉପରେ ଚପାଇବାର ମର୍ମ) ।

 

ଗଣପତି ବନ୍ଦନା ଶ୍ଳୋକର ପାଠକାଳରେ ତାଳାଘାତ ବା ‘ନୃତ୍ୟକରଣ’ ପରମ୍ପରା ରୀତି ବୋଲି ମନେ ହୁଏ ନାହିଁ । ମାତ୍ର ଶ୍ଳୋକର ଛନ୍ଦାନୁସାରୀ ବାଦ୍ୟ ସହିତରେ ତାଳାଘାତ ସୌଷ୍ଟବ-ବର୍ଦ୍ଧକ । ଶ୍ଳୋକ ପାଠ ଶେଷରେ ଗୋଟିଏ ମୁକ୍ତାଇ ବଜାଇବାକୁ ହୁଏ । ମୁକ୍ତାଇଗୁଡିକ ବାଦକ ଇଚ୍ଛାନୁରୂପ ବାଣୀରେ ବଜାଇ ଥାଆନ୍ତି । ଏଠାରେ ଗୋଟିଏ ମୁକ୍ତାଇ ନମୁନା ସ୍ୱରୂପ ଦିଆ ଯାଉଅଛି । ଯଥା:-

ଥାରିକିଟାଗଦିଘନ।

ଧା, ଥାରିକଟା ।

ଗଦିଘନଥା।

ଥାରିକିଟାଗଦିଘନ । (ଧା)

ଏହି ଉକୁଟିଟି ବିଳମ୍ବିତ ଲୟରେ ବସତି ହୋଇଅଛି ।

 

(ଘ)

ପୂର୍ବୋକ୍ତ ମୁକ୍ତାଇରେ ନାଚିବାପରେ ପାତ୍ର ସଭାର ଅନୁମତି ପ୍ରାର୍ଥନା କରିବେ । ଶ୍ଳୋକ ପାଠ ସହ ଅନୁମତି ପ୍ରାର୍ଥନା ବିଧେଇ । ନିମ୍ନରେ ଗୋଟିଏ ଚଚ୍ଚକାର ଉଲ୍ଲେଖ କରାଗଲା :-

 

ଚଚ୍ଚକାର

ତାଳ-ରାସ (୪ମାତ୍ରା)

ଥିନା

କିଟା

ଥିନି

ନାକ୍‌

 

 

 

 

ଥିନା

କିଟା

ଥିନି

ନାକ୍

 

 

 

 

ତିନା

କିଡିତାକ

ଥିନି

ନାକ

 

 

 

 

ଥିନା

କିଟା

ଥିନି

ନାକ୍‌

 

-ମୁକ୍ତାଇ-

ଧିନ୍ଦାକିଟା

ତାକ୍‌ଗଦିଘନ

ଧା ଥୈ

 

 

 

ଧିନ୍ଦାକିଟା

ତାକ୍‌ଗଦିଘନ

ଧା ଥୈ

 

 

 

ଧିନ୍ଦାଖିଟା

ତାକ୍‌ଗଦିଘନ

(ଧା)

ପାତ୍ର ଏହି ବାଦ୍ରବେଳେ କେବଳ ସମତାରେ ପାଦାଘାତ ସହ ବାମ ଦିଗରୁ ଆରମ୍ଭ କରି ଅର୍ଦ୍ଧ ବୃତ୍ତାକାରରେ ଦକ୍ଷିଣ ଦିଗକୁ ନୃତ୍ୟ କରି କରି ଯିବେ । ରଙ୍ଗମଞ୍ଚର ପରିସର ଇତ୍ୟାଦି କଳନାରେ ବାଦ୍ୟ ଦୁଇ କିମ୍ବା ଚାରିଥର ବାଜିବ । ଏତେବେଳେ ଅଞ୍ଜଳି ହସ୍ତ ଥିବ । ତା’ ପଥରେ ମୁକ୍ତାଇବେଳେ, ପାତ୍ର ରଙ୍ଗସ୍ଥଳରେ ମଧ୍ୟ ଦେଶରେ ଉପସ୍ଥିତ ହେବେ ।

(ଙ)

ଭୂମି, ଗୁରୁ ଓ ଯନ୍ତ୍ର ପ୍ରଣାମ କ୍ରିୟା

ପାତ୍ର ଅନୁମତି ପ୍ରାର୍ଥନା ପରେ (ରଙ୍ଗ ପୀଠର ମଧ୍ୟ ସ୍ଥଳିରେ ଠିଆ ହୋଇଥିବା ସ୍ଥାନରୁ) ନୃତ୍ୟାରମ୍ଭ କରି ଆସି ଯଥାକ୍ରମେ ଭୂମି, ଗୁରୁ ଓ ଯନ୍ତ୍ର ପ୍ରଣାମ କରିବେ । ନିମ୍ନରେ ଗୋଟିଏ ଉକୁଟ ଲେଖା ଯାଉଅଛି । ଏହା ରାସ ତାଳ (୪ମାତ୍ରା) ରେ ବସତି ।

 

ଉକୁଟ

କିଡ଼୍‌ତାକ୍‌ ଦିଧ୍‌ଲାଙ୍ଗ । ଝେଣାତା । କିଡ଼ିତାକ୍‌ ଦିଧ୍‌ଲାଙ୍ଗ । ଝେଣାତା

କିଡ଼୍‌ତାକ୍‌ ଦିଧ୍‌ଲାଙ୍ଗ । ତାକ୍‌ଗଦିଘନ । ତାଝେଣାତା । ତେଟେକତାଗଦିଘନ

ଧା । ତିଙ୍ଗଣ୍‌ ଧା । ତାଝେଣାତା । ତେଟେକତାଗଦିଘନ

ଧା । ତିଙ୍ଗଣ୍‌ ଧା । ତାଝେଣାତା । ତେଟେକଳାଗଦିଘନା

+

ଧା

ପ୍ରୋକ୍ତ କ୍ରିୟା ପରେ ପାତ୍ର ପୁଣି ସ୍ଥାୟୀ ଭଙ୍ଗରେ ଠିଆ ହେବେ ।

 

(ଚ)

(ବଟୁନୃତ୍ୟର ପ୍ରାରମ୍ଭିକ କ୍ରିୟା)

ସ୍ଥାୟୀ ଭଙ୍ଗିରୁ ନଟରାଜ ଭୈରବଙ୍କ ଆରାଧନା ଆରମ୍ଭ ହୁଏ, ଆରାଧନା ଶ୍ଳୋକ ସମ୍ବନ୍ଧେ ପୂର୍ବେ (ଔପପତ୍ତିକ ଅଧ୍ୟାୟ) ଆଲୋଚନା କରା ଯାଇଅଛି । ସେହିଶ୍ଳୋକ-ଛନ୍ଦାନୁସାରୀ ଗାୟନର ସଂଗତ ଯୋଗ୍ୟ ଗୋଟିଏ ମୁକ୍ତାଇ ନିମ୍ନରେ ଦିଆଯାଉଅଛି । ଯଥା:-

 

(ତ୍ରିପଟା ତାଳ)

ମୁକ୍ତାଇ:-

+                        

କିଡ଼ତାକ୍‌ ଗଦିଘନ      ଧା, କିଡ଼ିତାକ୍‌      ଗଦିଘନ, ଧା

                                    

କିଡ଼ତାକ ଗଦିଘନ । ଧା,ଥୈ ।      କିଡ଼ିତାକ୍‌ ଗଦିଘନ       ଧା, କିଡ଼ିତାକ୍‌।

+                        

ଗଦିଘନ ଧା      କିଡ଼ିତାକ୍‌ ଗଦିଘନ । ଧା,ଥୈ ।

                                                +

କିଡ଼୍‌ତାକ୍‌ ଗଦିଘନ । ଧା, କିଡ଼ିତାକ୍‌। ଗଦିଘନ, ଧା । କିଡ଼ିତାକ୍‌ ଗଦିଘନ ।            (ଧା)

 

ସ୍ତ୍ରୋତ୍ର ପାଠ ପରେ ନଯରାଜ ଭୈରବଙ୍କର (୧) ଆବାହନ (ସଂସ୍ଥାପନ) ଓ (୩) ପ୍ରଣତି- ପ୍ରୋକ୍ତ ମୁକ୍ତାଇ ବେଳେ ନୃତ୍ୟଭଙ୍ଗିରେ ପ୍ରଦର୍ଶିତ ହୁଏ ।

 

(ଏହି କାଳର ହସ୍ତାଭିନୟ)

୧- ଆବାହନ, - ଦୁଇ ପତାକ ହସ୍ତରୁ ଚିତ୍‌କରି ଛଡ଼ା ଛଡ଼ାରେ ରଖି ଆଗକୁ ସମାନ ଭାବେ ବଢାଇବ । ପୁଣି ଆଗରୁ ନିଜ ଆଡ଼କୁ କଟି ସିଧାରେ ଟାଣିବାକୁ ହେବ ।

 

୨- ସଂସ୍ଥାପନ-ଚିତ୍‌ହୋଇଥିବା ଦୂଇ ପତାକ ହସ୍ତକୁ କଟି ଆଗରେ ପୁର୍ବ ସ୍ଥାନରେ ପିଠିପଟେ କରି ଓଲଟାଇ ଦେବ ।

 

୩- ପ୍ରଣତି - ଦୁଇ ପତାକ ହସ୍ତ ମୁହାଁମୁହିଁ ଏକତ୍ର କରି ମସ୍ତକ ପର୍ଯ୍ୟନ୍ତ ଟେକିବା କ୍ରିୟା-

ଦ୍ରଷ୍ଟବ୍ୟ- ନଟ ଭୈରବଙ୍କ ସ୍ତବ ପାଠପରେ ଶ୍ଳୋକ ସହିତ ତ୍ରିପଟା ତାଳରେ ବାଜିଥିବା ମୁକ୍ତାଇ ବାଦନ କାଳରେ ଉପଯୁକ୍ତ ଆବାହନ ଇତ୍ୟାଦି କ୍ରିୟା ପ୍ରଦର୍ଶିତ ହେବ । ଅର୍ଥାତ୍ ମୁକ୍ତାଇର ପ୍ରଥମଭାଗ ବେଳେ ଆବାହନ (୧) ଦ୍ୱିତୀୟଭାଗ ବେଳେ ସଂସ୍ଥାପନ (୨) ଏବଂ ତୃତୀୟଭାଗ ବେଳେ ପ୍ରଣତିକ୍ରିୟା (୩) ସଂସାଧିତ ହେବ

 

 

ଏହି କାଳର ପଦ ଚାଳନ କ୍ରିୟା- (ଚାରୀ)

ମୁକ୍ତାଇ ୧- ପାତ୍ର ଉକୁଟ ସହ ସମତା ରକ୍ଷାକରି, ମଧ୍ୟ ଲୟରେ ପାଦ ପକାଇ, ପଛକୁ ଫେରି ଆବାହନର ହସ୍ତାଭିନୟ ପ୍ରଦର୍ଶନ କରିବେ । ଏତେବେଳେ ପ୍ରଥମେ ଡ଼ାହାଣ ପାଦ ପଛକୁ ପକାଇ ତାଳାରମ୍ଭ କରିବେ ।

 

ମୁକ୍ତାଇ ୨- ପାତ୍ର ଦୁଇ ପାହୁଣ୍ଡ ଆଗକୁ ଯାଇ ସଂସ୍ଥାପନର ହସ୍ତାଭିନୟ ପ୍ରଦର୍ଶନ କରିବେ । ଏହି ନୃତ୍ୟକ୍ରିୟା ଡ଼ାହାଣ ପାଦରେ ଆରବ୍‌ଧ ହେବ ।

 

ମୁକ୍ତାଇ ୩- ପାତ୍ର ଦୁଇ ପାହୁଣ୍ଡ ପଛିଆଇ (ପୂର୍ବ ସ୍ଥାନକୁ ଫେରି) ପ୍ରଣତି ନିବେଦନ କରିବେ । ଏହା (ନୃତ୍ୟକ୍ରିୟା) ମଧ୍ୟ ଡ଼ାହାଣ ପାଦରୁ ଆରମ୍ଭ କରିବେ ।

୧- ଗନ୍ଧ

ପ୍ରଣାମ ପରେ ଗନ୍ଧ ପ୍ରଦାନ କ୍ରିୟା ଆରମ୍ଭ ହୁଏ ।

 

ତାଳ- ତ୍ରିପଟା (ବିଳମ୍ବିତ)

ଚଚ୍ଚକାର

ଧିନ୍ଦାକ୍‌ଧି ।

ତାକ୍‌ଧିନି ।

ତାକ୍‌ଧିନି

 

ତାକିଡ଼ିତାକ୍‌ଧି-।

ନ୍ଦାକ୍‌ଧିନି ।

ତାକିଡ଼ିତାକ୍‌ଧି-।

ନ୍ଦାକ୍‌ଧିନି

 

ପ୍ରୋକ୍ତ ଉକୁଟ ତିନିଥର ବାଜିବ

୧- ପ୍ରଥମ ଥର ଗନ୍ଧ ପ୍ରସ୍ତୁତି (ପାତ୍ର ଏତେବେଳେ କେବଳ ନେତ୍ର ଚାଳନ କରିବେ - ନଖି)

୨- ଗନ୍ଧ ଆହରୋଣ କରି ପାତ୍ର (ନୃତ୍ୟ ସହିତ) ଆଗକୁ ଯିବେ ।

୩- ପାତ୍ର (ନୃତ୍ୟ ସହିତ) ଗନ୍ଧ ପ୍ରଦାନ କରିବେ ।

 

ପ୍ରୋକ୍ତ ବିଭାଗର ନୃତ୍ୟାଂଶ-

ଧା’ ତି-।

ଙ୍ଗିନେନାକ୍‌

ଥାରିକିଟା

 

ତାକା’ ତି-।

ଙ୍ଗନେନାକ୍‌।

ତେଟେକତା ।

ଗଦିଘନ ।

+

 

ଚା’ତି- ।

ଙ୍ଗନେନାକ୍‌।

ଥାରିକିଟା ।

 

ତାକା’ତି

ଙ୍ଗିନେନାକ୍‌

ତେଟେକତା

ଗଦିଘନ

 

ଏହା ଦୁଇଥର ବାଜିବା

ମୁକ୍ତାଇ

+

 

ତାକ୍‌ତାକ୍‌ ଗଦିଘନ ।

ଧା ତାକ୍‌ତାକ୍‌

ଗଦିଘନ, ଧା ।

 

ତାକ୍‌ତାକ୍ ଗଦିଘନ ।

ଧା ଥୈ ।

ତାକ୍‌ତାକ୍ ଗଦିଘନ ।

ଧା ତାକ୍‌ତା୍କ

+

 

ଗଦିଘନ ଧା

ତାକ୍‌ତାକ୍‌ଗଦିଘନ ।

ଧା ଥୈ ।

 

ତାକ୍‌ତାକ୍ ଗଦିଘନ ।

ଧା, ତାକ୍‌ତାକ୍ ।

ଗଦିଘନ, ଧା ।

ତାକ୍‌ତାକ୍ ଗଦିଘନ ।(ଧା)

 

୨-ପୁଷ୍ପ

ଗନ୍ଧ ପ୍ରଦାନ କାଳର ଚଚ୍ଚକାର ପୁଣି ଏଠାରେ ବାଜିବ । ଏହା ମଧ୍ୟ ସୁବିଧା ଓ ଆବଶ୍ୟକ ଅନୁସାରେ ଯେତେ ଥର ( ଆବର୍ତ୍ତ ) ବଜାଇବେ । ମାତ୍ର ଦୁଇ ଥରରୁ ଊଣା ବାଜିଲେ ନୃତ୍ୟର ସୁବିଧା ହେବା ସମ୍ଭବ ନୁହେଁ ।

 

କ୍ରିୟା

୧ମ ଚଚ୍ଚକାର- ମାଳାଗୁନ୍ଥିବା ଅଭିନୟ ( ନୃତ୍ୟସହ )

୨ୟ ଚଚ୍ଚକାର- ମାଳାପ୍ରଦାନ ଅଭିନୟ ( ନୃତ୍ୟସହ)

 

ଏ ବିଭାଗର ନୃତ୍ୟ-

ବାଦ୍ୟର ଉକୁଟ- ( ଚଚ୍ଚକାର )

+

 

 

ତାକିଟି ତାକ୍‌ଝେଁ ।

କିଡ଼ିତାକ୍‌ତା ଧା

କିଡ଼ିତାକ୍ ଧରିକୁଟ ।

 

 

 

 

 

ତାକ୍‌ଝେଁ, ଝେ-।

ଽଣତା ତା’ ।

ଧିରିକୁଟ ତାକ୍‌ଝେଁ ।

 

ଧିରିକୁଟତାଝେଁ

+

 

 

 

ଧରିକୁଟ ତାକ୍ ଝେଁ ।

ଽଝେଣାତା ।

ତା-

 

 

ମୁକ୍ତାଇ-

 

 

କିଡ଼ିତାକ୍ ଗଦିଘନ ।

ଧା କିଡ଼ିତାକ୍ ।

 

ଗଦିଘନଧା ।

 

କିଡ଼ିତାକ୍ ଗଦିଘନ ।

୩- ଧୂପ

ପୂର୍ବ ( ଗନ୍ଧକାଳାର ) ଚଚ୍ଚକାର ଦୁଇଥର ବାଜିବା ସହିତ ୧ମ ଥର ଧୂପ ପ୍ରସ୍ତୁତ ଅଭିନୟ ଓ ୨ୟଥର ଧୂପ ପ୍ରଦାନ ଅଭିନୟ ପଦର୍ଶିତ ହେବ ।

 

 

ନୃତ୍ୟାଂଶ

ବାଦ୍ୟଉକୁଟ-

+

 

ଧାକିଡ଼ିକ୍ ତାଝେଣା ।

ତାକ୍ ତାରି ଝେଣା ।

କିଣାମ୍ ତାଖିଟା ।

 

କିଡ଼ିତାକ୍‌ ତାକ୍ ଝେଣା ।

ତାକିଡ଼ିତାକ୍ ତାଝେଣା ।

ତାକ୍‌ତାରିଝେଣ ।

କିଣାମ୍ ତାଖିଟା ।

+

 

କିଡ଼ିତାକ୍‌ତାକ୍‌ଝେଣା ।

ଧାକିଡ଼ିତାକ୍‌ତାଝେଣା ।

ତାଝେଣା ତା ।

 

( ମୁକ୍ତାଇ )

ତାକ୍‌ଗଦିଘେନେ ।

ଧା ତାକ୍‌ଗଦି ।

ଘେନେ ଧା, ।

ତାକ୍‌ଗଦିଘେନେ ।

+

 

ଧା, ଥୈ

ଧାକିଡ଼ିତାକ୍ ତାଝେଣା

ତାଝେଣାତା

ତାକ୍‌ଗଦିଘେନେ ।

ଧା ତାକ୍‌ଗଦି ।

ଘେନେ ଧା, ।

ତାକ୍‌ଗଦିଘେନେ ।

+

 

ଧା, ଥୈ

ଧାକିଡ଼ିତାକ୍ ତାଝେଣା

ତାଝେଣାତା

ତାକ୍‌ଗଦିଘେନେ ।

ଧା, ତାକଗଦି ।

ଘେନେଧା, ।

ତାକ୍‌ଗଦିଘନେ ।

୪-ଦୀପ

ପାତ୍ର ପୂର୍ବ ଚଚ୍ଚକାର ( ଗନ୍ଧପ୍ରଦାନ କାଳର ) ସହ ନୃତ୍ୟାରମ୍ଭ କରିବେ । ଏହି ଚଚ୍ଚକାରରେ ଦୀପ ପ୍ରଦର୍ଶନ କ୍ରିୟାର ପ୍ରସ୍ତୁତ ଓ ପ୍ରଦର୍ଶନୀ କାର୍ଯ୍ୟ ( ନୃତ୍ୟ ) ସାଧିତ ହେବ ।

ନୃତ୍ୟାଂଶ

( ଚଚ୍ଚକାର )

+

ତାଧିରିକୁଟ୍ ତାକ୍ ।

 

ଧରିକୁଟ ତାକ୍ ।

କ୍ରିଣା ତାଝେ-।

ଣା ତା ଝେଣା ।

ନା କିଟ, କିଟି ତାକ୍ ।

ତାରିକିଟା କିଟିତାକ୍ ।

ଗଦିଘେନେ

+

ଧା ଽତ୍ରି- ।

 

ଣା ତା ଝେଁ-।

ଽ ଝେଟୁ ତା ।

ଝେଁଽ କ୍ରିୟା ।

ଝେଣା ତା ।

ଝେଁ, କିଡ଼ିତାକ୍

ଝେଣା ଖ କୁ-।

+

 

ନ୍ଦାରି କିଟା ।

ଝେଣୁ ତାଝେ-।

ଣା-ତାଝେ-।

 

 

( ଏହି ‘ତାଝେଁ’ ନିକଟରୁ ମୁକ୍ତାର ଆରମ୍ଭ ହେବ )

 

 

 

ଣା ତାଦ୍ରିମ୍ ।

ତାଖିଟା- ।

ତାକ୍‌ତାକ୍ ଗଦିଘେନେ ।

ଧା-ତାଝେ

 

+

 

 

ଣା ତାଦ୍ରିମ ।

ତାଖିଟା-।

ତାକ୍ ତାକ୍ ଗଦିଘେନେ ।

 

 

 

ଧା-ତାଝେ-।

ଣା ତାଦ୍ରିମ୍

ତାଖିଟା-।

ତାକ୍‌ତାକ୍ ଗଦିଘେନେ ।

(ଧା)

୫- ନୈବେଦ୍ୟ

ପୂର୍ବ ( ଗନ୍ଧକାଳର ) ଚଚ୍ଚକାର ଦୁଇଥର ବାଜିବା । ୧ମ ଥର ପ୍ରସ୍ତୁତି ୨ୟଥର କ୍ରିୟା ପ୍ରଦର୍ଶିତ ହେବ

ନୃତ୍ୟାଂଶ

ବାଦ୍ୟର ଉକୁଟ :-

+

ଗଦିଘନ ଧା ଗଦି

ଘନ ଧା ଗଦିଘନ ।

ଧା ଽତା ।

ଗଦିଘନ ଧା ।X

 

ମୁକ୍ତାଇ

 

ତାକିଟ ଧିକିଟ ତାକ୍ ।

ତାକିଟି ତା ଗଦିଘନ ।

ଧା, ତାକିଟଧି ।

 

+

 

କିଟିତାକ୍ ତାକିଟତା ।

ଗଦିଘନ ଧା ।

ତାକିଟ ଧିକିଟ ତାକ୍ ।

 

ତାକିଟ ତା ଗଦଘନ ।

ଧା ।

ଗଦିଘନ ଧା, ଗଦି-।

ଘନଧା, ଗଦିଘନ ।

+

 

ଧା,ଽତା ।

ଗଦିଘନ ଧା ।

ତାକିଟା ଧିକିଟା ତାକ୍

 

ତାକିଟ ତା ଗଦିଘନ ।

ଧା,ତାକିଟ ଧି

କିଟତାକ୍ ତାକିଟତା ।

ଗଦିଘନ ଧା

+

 

ତାକିଟ ଧିକିଟତକ୍ ।

ତାକିଟତା ଗଦିଘନ ।

ଧା

 

ଗଦିଘନ ଧା, ଗଦି-।

ଘନ-ଧା, ଗଦିଘନ ।

ଧା,ଽତା ।

ଗଦିଘନ ଧା

+

 

ତାକିଟ ଧିକିଟତାକ୍ ।

ତାକିଟତା ଗଦିଘନ ।

ଧା, ତାକିଟଧି

 

କିଟତାକ୍ ତାକିଟତା ।

ଗଦିଘନ ଧା ।

ତାକିଟଧିକିଟ ତାକ୍ ।

ତାକିଟତା ଗଦିଘନ ।(ଧା)

 

ଦ୍ରଷ୍ଟବ୍ୟ :- ବଟୁନୃତ୍ୟ ( ପଞ୍ଚୋପଚାରମତେ ) ଏହା କେବଳ ଏକ ଦୃଷ୍ଟାନ୍ତ ସଂକଳନ ବୋଲି ଗୃହୀତ ହେବ ।